ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ଆଜି ପତନ ଘଟିଛି। ମାତ୍ର ୧୪ ମାସ କ୍ଷମତାରେ ରହିବା ପରେ ମେଣ୍ଟ ସରକାର କ୍ଷମତାଚ୍ୟୁତ ହୋଇଛି। ତେବେ କର୍ଣ୍ଣାଟକରେ ମାତ୍ର ୩ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି। ସେମାନେ ହେଲେ ଏସ୍ ନିଜଲିଙ୍ଗାପା (୧୯୬୨-୬୮), ଡି ଦେବରାଜା ଉର୍ସ (୧୯୭୨-୭୭) ଏବଂ ସିଦ୍ଦରମେୟା (୨୦୧୩ରୁ ୨୦୧୮)। ଏହି ୩ ଜଣଯାକ ମୁଖ୍ୟମନ୍ତ୍ରୀ କଂଗ୍ରେସର। ବିଜେପି କିମ୍ବା ଜେଡିଏସ୍ରୁ କୌଣସି ଜଣେ ହେଲେ ମୁଖ୍ୟମନ୍ତ୍ରୀ ଭାବେ ପୂରା କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହାନ୍ତି। ଆସ୍ଥା ଭୋଟରେ ପରାଜିତ ହେବା ପରେ ଏଚଡି କୁମାରସ୍ବାମୀ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ମଧ୍ୟ କୁମାରସ୍ବାମୀ ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାରରେ ୨ ବର୍ଷରୁ କମ୍ ସମୟ ତଥା ଫେବ୍ରୁଆରି ୨୦୦୬ରୁ ଅକ୍ଟୋବର ୨୦୦୭ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ।
କର୍ଣ୍ଣାଟକରେ ମେ’ ୨୦୧୮ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା। ସରକାର ଗଠନ ପାଇଁ ୧୧୩ ଜଣ ବିଧାୟକଙ୍କ ସମର୍ଥନ କାହା ପାଖରେ ନଥିବାରୁ ୧୦୪ ଆସନ ଦଖଲ କରିଥିବା ଏକକ ସଂଖ୍ୟାଗରିଷ୍ଠ ଦଳ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ। ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ବରେ ସରକାର ଗଠନ ହୋଇଥିଲା। ତେବେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିବା ଦୁଇ ଦଳ କଂଗ୍ରେସ ଏବଂ ଜେଡିଏସ୍ ହାତ ମିଳାଇବାରୁ ଏକ ନାଟକୀୟ ସ୍ଥିତିରେ ଆସ୍ଥା ଭୋଟ୍ ପୂର୍ବରୁ ମେ ୧୯ ତାରିଖରେ ୟେଦୁରପ୍ପା ଇସ୍ତଫା ଦେଇଥିଲେ। ଏହାପରେ ମାତ୍ର ୩୭ ଆସନ ହାସଲ କରିଥିବା ଜେଡିଏସ୍ ନେତା କୁମାରସ୍ବାମୀ କଂଗ୍ରେସ ସମର୍ଥନରେ ସରକାର ଗଢ଼ିଥିଲେ।
ମୁଖ୍ୟମନ୍ତ୍ରୀଭାବେ କୁମାରସ୍ବାମୀଙ୍କ ଦ୍ବିତୀୟ କାର୍ଯ୍ୟକାଳ ୨୦୧୮ ମେ’ରେ ଆରମ୍ଭ ହୋଇଥିଲା। ସରକାର କ୍ଷମତାକୁ ଆସିବା ପରଠାରୁ ଲଗାତାର କଂଗ୍ରେସ ଏବଂ ଜେଡିଏସରେ ବିଦ୍ରୋହ ଦେଖିବାକୁ ମିଳିଥିଲା ଏବଂ ଶେଷରେ ଏହି ସଙ୍କଟ ଜଟିଳ ରୂପ ନେଇଥିଲା। ଯାହା ଫଳରେ କୁମାରସ୍ବାମୀଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆସ୍ଥା ଭୋଟ ସପକ୍ଷରେ ୯୯ ଏବଂ ବିପକ୍ଷରେ ୧୦୫ ଜଣ ବିଧାୟକ ଭୋଟ ଦେବାରୁ ତାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡ଼ିଛି।
ଏଥର କୁମାରସ୍ବାମୀ ୧୪ ମାସ କ୍ଷମତାରେ ରହି ପାରିଛନ୍ତି। ପୂର୍ବରୁ ବିଜେପିର ବିଏସ୍ ୟେଦୁରପ୍ପା ପ୍ରଥମ ଥର ପାଇଁ ୨୦୦୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ସେ ମାତ୍ର ୭ ଦିନ ପାଇଁ କ୍ଷମତାରେ ରହିଥିଲେ । ଜେଡିଏସ୍ ସମର୍ଥନ ପ୍ରତ୍ୟାହାର କରି ଆଣିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ୨୦୦୮ରେ ୟେଦୁରପ୍ପା ପୁଣିଥରେ ବିଜୟ ହାସଲ କରିଥିଲେ ଏବଂ ସେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୧ରେ ସେ ଦୁର୍ନୀତି ଅଭିଯୋଗରେ ଇସ୍ତଫା ଦେଇଥିଲେ। ୟେଦୁରପ୍ପା ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାପରେ ମାତ୍ର ୬ ଦିନ ପାଇଁ ମେ’ ୧୭ରୁ ୨୩ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ। ଆଗାମୀ ଦିନରେ ୟେଦୁରପ୍ପାଙ୍କ ନେତୃତ୍ବରେ ସରକାର ଗଠନ ହେଲେ ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଉଲ୍ଲେଖଯୋଗ୍ୟ, ୧୯୫୬ରେ କର୍ଣ୍ଣାଟକ ଗଠନ ହେବାପରଠାରୁ ରାଜ୍ୟ ୨୫ ମୁଖ୍ୟମନ୍ତ୍ରୀ ପାଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସର।
Advertisment
Sambad is now on WhatsApp
Join and get latest news updates delivered to you via WhatsApp