ଦାଦନ ଶ୍ରମିକଙ୍କୁ ଅଟକାଇଲା କର୍ଣ୍ଣାଟକ

ସ୍ବତନ୍ତ୍ର ଟ୍ରେନ୍‌ ସେବା ବାତିଲ, ଶ୍ରମିକଙ୍କ ପାଇଁ ପ୍ୟାକେଜ୍‌

ବେଙ୍ଗାଲୁରୁ : ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ବେଳେ ଅନେକ କଟକଣାକୁ କୋହଳ କରାଯାଇଛି। ନିର୍ମାଣ କାମ ବି ଆରମ୍ଭ ହୋଇଛି। ତେଣୁ ରାଜ୍ୟ ଛାଡ଼ି ଆଉ ଘରକୁ ନଫେରିବା ଲାଗି ପ୍ରବାସୀ ଶ୍ରମିକମାନଙ୍କୁ ଅନୁରୋଧ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା। କିନ୍ତୁ କେହି ଶୁଣିଲେନାହିଁ। କେତେକ ପ୍ରବାସୀ ଶ୍ରମିକ ‌ସ୍ବତନ୍ତ୍ର ଟ୍ରେନରେ ଘରକୁ ଫେରିଲେ ତ ଅନ୍ୟମାନେ ବସରେ ଫେରିବା ଆରମ୍ଭ କରିଥିଲେ। ଏଥିରେ କ୍ଷୁବଧ ହୋଇ ମୁଖ୍ୟମନ୍ତ୍ରୀ ଦାଦନ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସ୍ବତନ୍ତ୍ର ଟ୍ରେନ ସେବା ବାତିଲ କରିଦେଇଛନ୍ତି। କହିଛନ୍ତି ଯେ ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ଏଥିପାଇଁ ଶ୍ରମିକର ଅଭାବ ପଡ଼ୁଥିବାରୁ ଦାଦନ ଶ୍ରମିକମାନଙ୍କୁ ଆଉ ଫେରିବାକୁ ଦିଆଯିବ ନାହିଁ। ଏହାସହିତ ସେମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ‌ଘୋଷଣା କରିଛନ୍ତି। ତେବେ ତାଙ୍କର ଏଭଳି ପଦକ୍ଷେପକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି।

ଲକ୍ ଡାଉନ୍ ପରେ ଜୀବିକା ହରାଇଥିବା ହଜାର ହଜାର ଦାଦନ ଶ୍ରମିକ ଏବେ ରାଜ୍ୟରେ ଫସି ରହିଛନ୍ତି। ସେମାନେ ଘରକୁ ଫେରିବାକୂ ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଚଳିତ ସପ୍ତାହ ୧୦ଟି ସ୍ବତନ୍ତ୍ର ଟ୍ରେନ ଏହି ଦାଦନ ଶ୍ରମିକମାନଙ୍କୁ ନେଇ ବିଭିନ୍ନ ଉତ୍ତରାଞ୍ଚଳ ରାଜ୍ୟ ଯିବାକୁ ଥିଲା। ଏଥିରେ ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗର ଅଧିକାଂଶ ଶ୍ରମିକ ଥିଲେ। ଏସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ୩୫୦୦ ବସ୍ ଓ ସ୍ବତନ୍ତ୍ର ଟ୍ରେନରେ ପ୍ରାୟ ଲକ୍ଷେ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିଯାଇଛି। ଏବେ ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ସେମାନଙ୍କର ଆବଶ୍ୟକତା ରହିଛି। ତେଣୁ ଆଉ କୌଣସି ପ୍ରବାସୀ ଶ୍ରମିକଙ୍କୁ ଛଡ଼ାଯିବ ନାହିଁ।

ଏହାସହିତ ଲକ୍ ଡାଉନ୍ ଯୋଗୁଁ ପ୍ରଭାବିତ ଶ୍ରମିକମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ୧୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରତ୍ୟେକ ପଞ୍ଜିକୃତ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ମିଳିବ। ଏଥିରେ ପ୍ରବାସୀ ଶ୍ରମିକ ବି ରହିଛନ୍ତି।

ସମ୍ବନ୍ଧିତ ଖବର