କର୍ଣ୍ଣାଟକର ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା, ଡିସେମ୍ବର ୫ରେ ଭୋଟଗ୍ରହଣ, ୯ରେ ଗଣତି

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଖାଲିଥିବା ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୫ ତାରିଖରେ ଭୋଟଗ୍ରହଣ ଓ ୯ରେ ଗଣତି ହେବ । ଏ ସଂପର୍କରେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଆଜି ସୁପ୍ରିମକୋର୍ଟ ଏହି ୧୫ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଦି ବାଚସ୍ପତିଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ । କିନ୍ତୁ ସେମାନେ ଉପନିର୍ବାଚନ ଲଢିପାରିବେ ବୋଲି କୋର୍ଟ କହିଥିଲେ । ଏହାପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି ।

ଏସବୁ ଆସନର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ-ଜେଡିଏସର ବିଧାୟକମାନେ ଅଯୋଗ୍ୟ ଘୋଷିତ ହେବା ପରେ ଏସବୁ ଆସନ ଖାଲି ରହିଛି । ଏହି ଅଯୋଗ୍ୟ ଘୋଷିତ ବିଧାୟକମାନେ ବିଜେପିରେ ମିଶିବାର ସମ୍ଭାବନା ରହିଛି ।

ଏବେ କର୍ଣ୍ଣାଟକରେ ମୋଟ ୧୭ ଟି ଆସନ ଖାଲିରହିଥିବାବେଳେ ୧୫ଟି ପାଇଁ ଉପ-ନିର୍ବାଚନ ହେବ । ଏହି ୧୫ଟି ଆସନର ଫଳାଫଳ ଉପରେ ହିଁ ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରିବ । ଏବେ ବିଧାନସଭାରେ ୨୦୮ ସଦସ୍ୟ ରହିଛନ୍ତି ଓ ବିଜେପିର ୧୦୫ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୧୦୭ ସଦସ୍ୟଙ୍କ ସମର୍ଥନ ୟେଦ୍ୟୁରପ୍ପାଙ୍କ ପ୍ରତି ରହିଛି । କିନ୍ତୁ ଏହି ୧୫ଟି ଆସନର ଫଳାଫଳ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୩କୁ ବୃଦ୍ଧି ପାଇବ ଓ ସରକାର ବଜାୟ ରଖିବାକୁ ବିଜେପିକୁ ୧୧୨ଟି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ । ଏଣୁ ବିଧାନସଭାରେ ବିଜେପିକୁ ୭ଟି ଆସନ ଜିତିବାକୁ ହେବ ।

ସମ୍ବନ୍ଧିତ ଖବର