କର୍ଣ୍ଣାଟକ ସଙ୍କଟ:ସୁପ୍ରିମ୍‌ କୋର୍ଟ ଗଲେ ବିଧାୟକ

ହୋଟେଲ ନିକଟରେ ୧୪୪ ଧାରା ଲାଗୁ : ଆଉ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜନୈତିକ ଘଟଣାକ୍ରମ ଏବେ ଅତ୍ୟନ୍ତ ନାଟକୀୟ ହୋଇଯାଇଛି। ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସ୍‌ର ବିଦ୍ରୋହୀ ବିଧାୟକମାନେ ଆଜି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଧାନସଭା ବାଚସ୍ପତି ରମେଶ କୁମାର ସେମାନଙ୍କ ଇସ୍ତଫା ଗ୍ରହଣ ନକରି ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଥିବା ଅଭିଯୋଗ କରି ବିଧାୟକମାନେ ସୁପ୍ରିମ୍‌ କୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଛନ୍ତି । ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରି ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗିଙ୍କ ଯୁକ୍ତି ଶୁଣିଛନ୍ତି। ଏହି ମାମଲାରେ ଆସନ୍ତାକାଲି ସୁପ୍ରିମ୍‌ କୋର୍ଟ ଜରୁରୀ ଶୁଣାଣି କରିପାରନ୍ତି ବୋଲି କୁହାଯାଉଛି ।
ରୋହତଗି କହିଛନ୍ତି ଯେ ବିଧାୟକମାନେ ଇସ୍ତଫା ଦେଇ ପୁଣି ନିର୍ବାଚନ ଚାହୁଥିଲେ ମଧ୍ୟ ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ ନକରି ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛନ୍ତି। କର୍ଣ୍ଣାଟକ ବିଧାନସଭାର ଅଧିବେଶନ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବାରୁ ବାଚସ୍ପତି ବିଧାୟକଙ୍କ ଇସ୍ତଫା ଗ୍ରହଣ ନକରି ସେମାନଙ୍କୁ ସେହି ସମୟରେ ଅଯୋଗ୍ୟ ଘୋଷଣା କରିବାକୁ ଯୋଜନା କରୁଥିବା କୁହାଯାଇଛି। ବିଧାୟକମାନେ କହିଛନ୍ତି ଯେ ସେମାନଙ୍କ ଇସ୍ତଫା ସଂପୂର୍ଣ୍ଣ ସ୍ବେଚ୍ଛାକୃତ ଥିଲେ ମଧ୍ୟ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରି ବାଚସ୍ପତି ସମ୍ବିଧାନର ମୂଳ ଢାଞ୍ଚାକୁ ଉଲ୍ଲଂଘନ କରୁଛନ୍ତି।

କୁମାରସ୍ବାମୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ
ବିଧାନସଭା ସମ୍ମୁଖରେ ବିଜେପିର ବିକ୍ଷୋଭ
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ର ୧୬ ଜଣ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟାଲଘୁ ହୋଇଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଇସ୍ତଫା ଦେଉନଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ବିଜେପି ଆନ୍ଦୋଳନ ଆରମ୍ଭ କରିଛି। ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, ବିଧାୟକ ଏବଂ ସମର୍ଥକ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ବିଜେପି ସଭାପତି ବିଏସ୍‌ ୟେଦୁରପ୍ପା ବିଧାନ ସୌଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲେ। ଅପରାହ୍ନରେ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ବିଜେପି ନେତାମାନେ ଭେଟି କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରକୁ ବରଖାସ୍ତ କରିବାକୁ ଦାବି କରିଥିଲେ। ବାଚସ୍ପତି ରମେଶ କୁମାରଙ୍କ ପକ୍ଷପାତପୂର୍ଣ୍ଣ କାର୍ଯ୍ୟ ସମ୍ବିଧାନ ବିରୋଧୀ ବୋଲି ୟେଦୁରପ୍ପା କହିଛନ୍ତି। କୁମାରସ୍ବାମୀ ତୁରନ୍ତ ଇସ୍ତଫା ନଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ମୁମ୍ବାଇରେ ଶିବକୁମାର ଅଟକ
ମୁମ୍ବାଇ/ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ମୁମ୍ବାଇ ପହଞ୍ଚିଥିବା କଂଗ୍ରେସର ସଙ୍କଟମୋଚକ ଡିକେ ଶିବକୁମାରଙ୍କୁ ଆଜି ବଡ଼ ଝଟ୍‌କା ଲାଗିଛି। ଦୀର୍ଘ ୫ ଘଣ୍ଟାର ଅପେକ୍ଷା ପରେ ମଧ୍ୟ ତାଙ୍କୁ ବିଧାୟକମାନେ ସାକ୍ଷାତ କରିବାକୁ ମନା କରିଦେଇଥିଲେ। ଶିବକୁମାର ଓ ଅନ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତି ହୋଟେଲ ଅଂଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ମୁମ୍ବାଇ ପୁଲିସ ଶିବକୁମାରଙ୍କୁ ବିଧାୟକମାନେ ରହୁଥିବା ହୋଟେଲ ପ୍ରକୋଷ୍ଠକୁ ବଳପୂର୍ବକ ପ୍ରବେଶ କରିବାକୁ ଦେଇନଥିଲେ। ଶିବକୁମାରଙ୍କୁ ବିଧାୟକମାନେ ତୀବ୍ର ବିରୋଧ କରି ତାଙ୍କୁ ଭେଟିବେ ନାହିଁ ବୋଲି କହିଥିଲେ। ତେବେ ସେଠାରେ ରାଜ୍ୟ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ଭିଡ଼ ଯୋଗୁଁ ଉତ୍ତେଜନା ସୃଷ୍ଟି ହେବାରୁ ପୁଲିସ ଶିବକୁମାରଙ୍କୁ ପ୍ରାୟ ୩ ଘଣ୍ଟା ଧରି ଅଟକ ରଖିଥିଲା। ମାମଲା ଜଟିଳ ମୋଡ଼ ନେଉଥିବା ଦେଖି ହୋଟେଲ ଅଂଚଳରେ ଧାରା ୧୪୪ ଲାଗୁ କରାଯାଇଛି । ଶିବକୁମାର ବିଦ୍ରୋହୀ ବିଧାୟକମାନଙ୍କୁ ବଳପୂର୍ବକ ନେବା ପାଇଁ ଯୋଜନା କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଆଜି ବେଙ୍ଗାଲୁରୁରେ ରାଜଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବାରୁ ତାଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିଲା। ଆଜି କଂଗ୍ରେସର ଆଉ ଦୁଇ ଜଣ ବିଧାୟକ ଇସ୍ତଫା ଦେବାରୁ ସଙ୍କଟ ଆହୁରି ଜଟିଳ ହୋଇଛି। ୨ ସ୍ବାଧୀନ ବିଧାୟକଙ୍କୁ ମିଶାଇ ଏବେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ୧୮ରେ ପହଞ୍ଚିଲାଣି।

ସମ୍ବନ୍ଧିତ ଖବର