କର୍ଣ୍ଣାଟକ ସଙ୍କଟ ବଢ଼ୁଛି

O୨ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କଲେ O୮ କଂଗ୍ରେସ ବିଧାୟକ ବିଜେପିକୁ ସମର୍ଥନ କରିବେ O ନିଜ ବିଧାୟକଙ୍କୁ ଖୋଜୁଛି କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରକୁ ଆଜି ଆଉ ଏକ ଝଟ୍‌କା ଲାଗିଛି। ସ୍ବାଧୀନ ବିଧାୟକ ଏଚ୍‌. ନାଗେଶ ଏବଂ ଆର୍‌. ଶଙ୍କର ଆଜି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଅନ୍ୟପଟେ ୮ ଜଣ କଂଗ୍ରେସ ବିଧାୟକ ବିଜେପିକୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି। ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ୧୦୪ ସଦସ୍ୟ ରହିଛନ୍ତି। କଂଗ୍ରେସର ୭୯ ବିଧାୟକ ଥିବା ବେଳେ ଜେଡିଏସ୍‌ ବିଧାୟକଙ୍କ ସଂଖ୍ୟା ହେଉଛି ୩୭। ଏଭଳି ସ୍ଥିତିରେ ସରକାରଙ୍କ ପ୍ରତି ସଙ୍କଟ ବଢ଼ୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କହିଛନ୍ତି ଯେ ତାଙ୍କ ପାଖରେ ସରକାର ଚଳାଇବା ପାଇଁ ଯଥେଷ୍ଟ ସମର୍ଥନ ରହିଛି ଏବଂ ଅସ୍ଥିରତାର ପ୍ରଶ୍ନ ଉଠୁନାହିଁ। ଏବେ ବିଜେପି ବିଧାୟକମାନେ ଗୁରୁଗ୍ରାମରେ ଡେରା ପକାଇଛନ୍ତି ଏବଂ କଂଗ୍ରେସର ୪ ଜଣ ବିଧାୟକ ମୁମ୍ବାଇର ଏକ ହୋଟେଲରେ ରହିଛନ୍ତି। ଆହୁରି ୪ ଜଣ ବିଧାୟକଙ୍କ ପତ୍ତା ମିଳୁନଥିବାରୁ କଂଗ୍ରେସ ସେମାନଙ୍କୁ ଖୋଜୁଛି। କଂଗ୍ରେସ ଏବଂ ବିଜେପି ପରସ୍ପର ବିରୋଧରେ ସମାନ ଅଭିଯୋଗ ଆଣି ବିଧାୟକଙ୍କୁ ପ୍ରଲୋଭିତ କରିବା ମାମଲାରେ ଦୋଷାରୋପ କରୁଛନ୍ତି। କର୍ଣ୍ଣାଟକରେ ଏଭଳି ଅସ୍ଥିର ରାଜନୈତିକ ସ୍ଥିତି ଯୋଗୁଁ ସରକାର ଭାଙ୍ଗିଯିବା ଆଶଙ୍କା ବଢ଼ୁଛି।

ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ତାଙ୍କ ପିତା ତଥା ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ାଙ୍କ ସହ ଆଲୋଚନା କରିଛନ୍ତି। କଂଗ୍ରେସ ନେତାଙ୍କ ଚାପ ଯୋଗୁଁ ସେ ଜଣେ କ୍ଲର୍କ ଭଳି କାମ କରୁଛନ୍ତି ବୋଲି ନିକଟରେ ମନ୍ତବ୍ୟ ଦେଇଥିବା କୁମାରସ୍ବାମୀ ଏବେ କଂଗ୍ରେସ ନେତାଙ୍କ ଉପରେ ମଧ୍ୟ ଭରସା କରିପାରୁ ନାହାନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବିଜେପି ନେତା ପୂର୍ବ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦୁରପ୍ପା ମଧ୍ୟ କଂଗ୍ରେସ-ଜେଡିଏସ୍‌ କନ୍ଦଳରୁ ଫାଇଦା ନେବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ସରକାର ବିରୋଧରେ ଅନାସ୍ଥା ଆଣିବା ପାଇଁ ଏବେ ଚାଲିଥିବା ଅଭିଯାନରେ ୟେଦ୍ୟୁରପ୍ପାଙ୍କ ରଣନୀତିରେ ହିଁ ବିଜେପି କାମ କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର