କର୍ଣ୍ଣାଟକ ସଙ୍କଟ:ସଂଖ୍ୟାଗରିଷ୍ଠତା ଦାବି କଲେ ୟେଦୁରପ୍ପା

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜିଠୁ ଆନ୍ଦୋଳନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ସଭାପତି ବି.ଏସ୍. ୟେଦୁରପ୍ପା ଆଜି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ ନିମନ୍ତେ ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ସରକାର ଗଠନ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ରହିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଗୋଟିଏ ମୁହୂର୍ତ୍ତ ବି କ୍ଷମତାରେ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କୁମାରସ୍ବାମୀ ଇସ୍ତଫା ଦାବିରେ ଆସନ୍ତାକାଲିଠାରୁ ଆନ୍ଦୋଳନ ଆରମ୍ଭ ହେବ ବୋଲି ୟେୁଦରପ୍ପା ଆଜି ଘୋଷଣା କରିଛନ୍ତି। ବିଧାନସଭା ବାଚସ୍ପତି ନିରପେକ୍ଷ ଭାବେ ନିଷ୍ପତ୍ତି ନେବା ଉଚିତ ବୋଲି ମତ ଦେଇ ୟେଦୁରପ୍ପା କହିଛନ୍ତି ଯେ ସରକାରରେ ଦେଖାଦେଇଥିବା ସଙ୍କଟ ଓ ପ୍ରଶାସନିକ ସ୍ଥାଣୁତା ବିରୋଧରେ ଆସନ୍ତାକାଲି ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯିବ ଏବଂ ସାରା ରାଜ୍ୟରେ ଧାରଣା ଓ ବିକ୍ଷୋଭ ଚାଲିବ। ସୂଚନାଯୋଗ୍ୟ କଂଗ୍ରେସ ଏବଂ ଜେଡିଏସ୍‌ରର ୧୩ ବିଧାୟକ ଏବଂ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ଯୋଗୁଁ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ବିଜେପିର ଏକ ପ୍ରତିନିଧି ଦଳ ଆଜି ବାଚସ୍ପତିଙ୍କୁ ଭେଟିବାକୁ ଯାଇଥିଲେ, କିନ୍ତୁ ସେମାନଙ୍କୁ ବାଚସ୍ପତି ସମୟ ଦେଇନଥିଲେ।

ଲୋକସଭାରେ ରାହୁଲଙ୍କ ସ୍ଲୋଗାନ
କର୍ଣ୍ଣାଟକ ସଙ୍କଟ ପାଇଁ ବିଜେପିକୁ ଦାୟୀ କରି ଆଜି କଂଗ୍ରେସର ପୂର୍ବ ସଭାପତି ରାହୁଲ ଗାନ୍ଧୀ ଲୋକସଭାରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କର୍ଣ୍ଣାଟକରେ ଜାରି ରାଜନୈତିକ ଘଟଣାକ୍ରମକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବାକୁ ଦଳର ସଦସ୍ୟମାନଙ୍କୁ କହିଥିଲେ। ଏହାପରେ ରାହୁଲ ଗାନ୍ଧୀ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ‘ଗଣତନ୍ତ୍ରର ହତ୍ୟା ବନ୍ଦ କର’, ‘ଆମକୁ ନ୍ୟାୟ ଦରକାର’ ବୋଲି ରାହୁଲ ସ୍ଲୋଗାନ ଦେଇଥିଲେ।

ରାଜ୍ୟସଭାରେ ହଙ୍ଗାମା, ଗୃହ ମୁଲତବୀ

New Delhi: Congress Vice President Rahul Gandhi speaks in the Lok Sabha in New Delhi on Monday. PTI Photo/ TV GRAB (PTI4_20_2015_000115B)

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି କର୍ଣ୍ଣାଟକ ପରିସ୍ଥିତି ନେଇ କଂଗ୍ରେସ ଏବଂ ଟିଏମ୍‌ସି ସାଂସଦଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ଗୃହକାର୍ଯ୍ୟ ପୂରା ଦିନ ପାଇଁ ମୁଲତବୀ ରହିଥିଲା। କର୍ଣ୍ଣାଟକ ସଙ୍କଟ ଉପରେ ଆଲୋଚନା ପାଇଁ କଂଗ୍ରେସ ଏବଂ ଟିଏମ୍‌ସିର ନୋଟିସ୍‌କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଗ୍ରହଣ ନକରି ପରବର୍ତ୍ତୀ ସମୟରେ ଏ ବାବଦରେ ଆଲୋଚନା ପାଇଁ କହିବାରୁ ଏହାକୁ ବିରୋଧ କରାଯାଇଥିଲା। ଉଭୟ ଦଳର ସାଂସଦ ସ୍ଲୋଗାନ ଦେଇ ଗୃହର ମଧ୍ୟ ଭାଗକୁ ମାଡ଼ି ଯାଇଥିଲେ ଏବଂ ଗୃହକାର୍ଯ୍ୟ ଅଚଳ କରିଦେଇଥିଲେ । ଏହାପରେ ଅଧ୍ୟକ୍ଷ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଆଜି ଗୃହରେ ବଜେଟ୍‌ ଉପରେ ଚର୍ଚ୍ଚା ହେବାକୁ ପୂର୍ବରୁ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର