କର୍ଣ୍ଣାଟକ ସଙ୍କଟର ଘଟଣାକ୍ରମ

ଜୁଲାଇ ୧: କଂଗ୍ରେସର ଦୁଇ ଜଣ ବିଧାୟକ ଇସ୍ତଫା ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା କହିଥିଲେ।
ଜୁଲାଇ ୬: ୯ ଜଣ କଂଗ୍ରେସ ବିଧାୟକ ଏବଂ ୩ ଜଣ ଜେଡିଏସ୍‌ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ପ୍ରଦାନ କଲେ। ସେମାନେ ବାଚସ୍ପତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ ମଧ୍ୟ ବାଚସ୍ପତି ତାହାକୁ ଗ୍ରହଣ କରିନଥିଲେ।
ଜୁଲାଇ ୮: ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଦୁଇ ଜଣ ସ୍ବାଧୀନ ବିଧାୟକ ଇସ୍ତଫା ଦେଲେ ଏବଂ ସେମାନେ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।
ଜୁଲାଇ ୯: ବିଧାୟକଙ୍କ ଇସ୍ତଫା ସଠିକ୍‌ ପ୍ରକ୍ରିୟାରେ ଆସି ନାହିଁ ବୋଲି ବାଚସ୍ପତି କେ.ଆର୍‌ ରମେଶ କୁମାର ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଜୋର୍‌ ଧରିଲା। ଇସ୍ତଫା ଦେଇଥିବା ବିଧାୟକମାନେ ମୁମ୍ବାଇରେ ଡେରା ପକାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଜୁଲାଇ ୧୨: ବିଧାୟକଙ୍କ ଇସ୍ତଫା ମାମଲାରେ ଜୁଲାଇ ୧୬ ପର୍ଯ୍ୟନ୍ତ ସ୍ଥିତାବସ୍ଥା କାଏମ ରଖିବାକୁ ବାଚସ୍ପତିଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଜୁଲାଇ ୧୭: ବିଧାୟକଙ୍କ ଇସ୍ତଫା ମାମଲାରେ ବାଚସ୍ପତି ନିଷ୍ପତ୍ତି ନେବାପାଇଁ କୌଣସି ସମୟ କଟକଣା ରହିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ। ତେବେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଥିଲେ।
ଜୁଲାଇ ୧୮: ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଏହା ଉପରେ ଭୋଟ୍‌ ଗ୍ରହଣ କରିବା ନେଇ ବାଚସ୍ପତି ସମୟ ସ୍ଥିର କରୁ ନଥିବା ଯୋଗୁଁ ବିବାଦ ଆହୁରି ଜଟିଳ ହୋଇଥିଲା।
ଜୁଲାଇ ୧୯: ଆସ୍ଥା ଭୋଟ ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ଦୁଇଟି ଚିଠି ଲେଖିଲେ ରାଜ୍ୟପାଳ ବଜୁଭାଇ ବାଲା।
ଜୁଲାଇ ୨୩: ଆସ୍ଥା ଭୋଟ ଅନୁଷ୍ଠିତ ହେଲା। ସରକାରଙ୍କ ସପକ୍ଷରେ ୯୯ ଏବଂ ବିପକ୍ଷରେ ୧୦୫ ଭୋଟ ମିଳିଥିବା ଘୋଷଣା କଲେ ବାଚସ୍ପତି ରମେଶ କୁମାର। ଫଳରେ ୧୪ ମାସର ମେଣ୍ଟ ସରକାରର ପତନ ହୋଇଛି।

ସମ୍ବନ୍ଧିତ ଖବର