କର୍ଣ୍ଣାଟକ ନିର୍ବାଚନ: ୯୭୪୬ ନକଲି ଭୋଟର୍‌ କାର୍ଡ କାହା ପାଇଁ?

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବହୁ ସଂଖ୍ୟାରେ ନକଲି ଭୋଟର୍‌ କାର୍ଡ ଠାବ ହେବାପରେ ଏହି ମାମଲା ନେଇ କଂଗ୍ରେସ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି। ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣି କଂଗ୍ରେସ କହିଛି ଯେ ପରାଜୟ ଭୟରେ ବିଜେପି ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚାହୁଛି। ନକଲି ଭୋଟର୍‌ କାର୍ଡ ମାମଲାର ନିରପେକ୍ଷ ଯାଞ୍ଚ କରାଯିବାକୁ ଦଳ ଦାବି କରିଛି। କଂଗ୍ରେସ କହିଛି ଯେ ବିଜେପିର ସରକାର କେନ୍ଦ୍ରରେ ଥିବାରୁ ଏବେ ଏହା ନିଜ କ୍ଷମତାର ଦୁରୁପଯୋଗ କରୁଛି। ଯେଉଁ ଫ୍ଲାଟ୍‌ରୁ ହଜାର ହଜାର ନକଲି ଭୋଟର୍‌ କାର୍ଡ ମିଳିଥିଲା ତାହା ଜଣେ ବିଜେପି ନେତ୍ରୀଙ୍କର ବୋଲି କୁହାଯାଇଛି। କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଆନନ୍ଦ ଶର୍ମା ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିବା ପରେ ଏହା ବିରୋଧରେ ବିଜେପି ମଧ୍ୟ ଅଣ୍ଟା ଭିଡ଼ିଛି। ନକଲି ଭୋଟର୍‌ କାର୍ଡ କଂଗ୍ରେସ ନେତାମାନଙ୍କର ଏକ ବଡ଼ ଷଡ଼ଯନ୍ତ୍ରର ଅଂଶବିଶେଷ ଏବଂ ଏହି ମାମଲାରେ ତୁରନ୍ତ ଯାଞ୍ଚ କରି ସତ୍ୟ ସାମ୍ନାକୁ ଆଣିବା ପାଇଁ ବିଜେପି ଦାବି କରିଛି। ଆଗାମୀ ୧୨ ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ କମିସନ ଏକ ଫ୍ଲାଟ୍‌ରୁ ୯୭୪୬ ଭୋଟର୍‌ ପରିଚୟ ପତ୍ର ଠାବ କରିଥିଲେ। ଏହାକୁ ନେଇ କଂଗ୍ରେସ-ବିଜେପି ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଜବତ ହୋଇଥିବା ୯୭୪୬ କାର୍ଡ କେଉଁମାନେ କାହା ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିଲେ, ସେ ନେଇ ସାଧାରଣରେ ଚର୍ଚ୍ଚା ଜାରି ରହିଛି। ଜେଡିଏସ୍‌ ମଧ୍ୟ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରିଛି।

ସମ୍ବନ୍ଧିତ ଖବର