ନୂଆଦିଲ୍ଲୀ: ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ରାଜ୍ୟର ପ୍ରମୁଖ ଦଳଗୁଡ଼ିକ ଏବେ ଜୋରଦାର ପ୍ରଚାର ଜାରି ରଖିଛନ୍ତି। ୨୦୧୯ରେ କର୍ଣ୍ଣାଟକରେ କ୍ଷମତାକୁ ଆସିଥିବା ବିଜେପି ଇତିହାସ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ବିରୋଧୀ କଂଗ୍ରେସ ମଧ୍ୟ କର୍ଣ୍ଣାଟକରେ କ୍ଷମତାକୁ ଫେରିବା ପାଇଁ ଦୃଢ଼ ରଣନୀତିରେ ଆଗକୁ ବଢ଼ୁଛି। ଅନ୍ୟପକ୍ଷେ ଜେଡିଏସ୍ ଉଭୟ ବିଜେପି ଏବଂ କଂଗ୍ରେସର ଖେଳ ବିଗାଡ଼ି ରାଜ୍ୟରେ କିଙ୍ଗ୍ମେକର ହେବା ଲକ୍ଷ୍ୟ ରଖିଛି। ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମୁଖ୍ୟତଃ ଜାତି, ଦୁର୍ନୀତି, ଆଞ୍ଚଳିକତା, ଧର୍ମ ଏବଂ ବିଦ୍ରୋହ ଉପରେ ଆଧାରିତ। ସମସ୍ତ ଦଳ ଏହି ସବୁ ପ୍ରସଙ୍ଗ ଭିତ୍ତିରେ ସେମାନଙ୍କ ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ଚଳିତ ନିର୍ବାଚନରେ ଜାତି ଓ ବିଦ୍ରୋହୀଙ୍କ ଭୂମିକା ହିଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ନିର୍ବାଚନୀ ବିଶେଷଜ୍ଞମାନେ ମତ ରଖିଛନ୍ତି।
କର୍ଣ୍ଣାଟକରେ ଜାତି ରାଜନୀତିକୁ ଅଧିକ ଗୁରୁତ୍ବ ଦିଆଯାଇଛି। ପ୍ରତି ଦଳ ଜାତି ଗଣିତକୁ ଠିକ୍ କରିବାକୁ ଚେଷ୍ଟା କରିଛନ୍ତି। ଲିଙ୍ଗାୟତ ଏବଂ ଭୋକ୍କାଲିଗା ହେଉଛନ୍ତି କର୍ଣ୍ଣାଟକର ୨ଟି ପ୍ରମୁଖ ଜାତି। ଲିଙ୍ଗାୟତଙ୍କର ଫେଭରିଟ୍ କୁହାଯାଉଥିବା ବିଜେପି ଚଳିତ ଥର ଅଧିକ ଭୋକ୍କାଲିଗା ଭୋଟ୍ ପାଇବାପାଇଁ ଫୋକସ୍ କରିଛି। ମୋଟ ଭୋଟ୍ର ୧୫ ପ୍ରତିଶତ ଭୋକ୍କାଲିକା ଜାତିରୁ ଆସୁଛି। ତେଣୁ ବିଜେପି ଚଳିତ ଥର ଭୋକ୍କାଲିଗାଙ୍କୁ ଅଧିକ ଗୁରୁତ୍ବ ଦେଇଛି। ୨୦୧୮ରେ ବିଜେପି ଭୋକ୍କାଲିଗାାଙ୍କୁ ୩୫ଟି ଟିକେଟ୍ ଦେଇଥିଲା କିନ୍ତୁ ଚଳିତ ନିର୍ବାଚନରେ ଦଳ ଭୋକ୍କାଲିଗାଙ୍କୁ ୪୭ ଟିକେଟ୍ ଦେଇଛି। ଅନ୍ୟପକ୍ଷେ କଂଗ୍ରେସ ଭୋକ୍କାଲିଗା ଭୋଟ୍ ପାଇବାପାଇଁ ରାଜ୍ୟ ସଭାପତି ଡିକେ ଶିବକୁମାରଙ୍କ ଉପରେ ନିର୍ଭର କରିଛି। କଂଗ୍ରେସ ଭୋକ୍କାଲିଗାଙ୍କୁ ୪୩ ଟିକେଟ୍ ଦେଇଛି। ଅନ୍ୟପକ୍ଷେ ଭୋକ୍କାଲିଗା ଦଳ ଭାବେ ବିବେଚନା କରାଯାଉଥିବା ଜେଡିଏସ୍ ଭୋକ୍କାଲିଗାଙ୍କୁ ୪୫ ଟିକେଟ୍ ଦେଇଛି। ପୂର୍ବ ନିର୍ବାଚନରେ ଜେଡିଏସ୍ର ୨୪ ଭୋକ୍କାଲିଗା ବିଧାୟକ ଥିଲେ।
୨୦୧୮ରେ ବିଜେପି ଏହାର ନିର୍ବାଚନ ପ୍ରଚାରରେ କଂଗ୍ରେସକୁ ଲିଙ୍ଗାୟତ ବିରୋଧୀ ଦଳ ଦର୍ଶାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ୨୦୨୩ରେ ଠିକ୍ ଏହାର ଓଲଟା ହୋଇଛି। ଅନେକ ଲିଙ୍ଗାୟତ ନେତା ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବାରୁ କଂଗ୍ରେସ ବିଜେପିର ଲିଙ୍ଗାୟତ ଭୋଟ୍ବ୍ୟାଙ୍କ୍ରୁ କିଛି ଅଂଶ ହାତେଇବା ପାଇଁ ଲକ୍ଷ୍ୟ ରଖିଛି। ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ପାଇଁ ଲିଙ୍ଗାୟତମାନେ ଗତ କିଛି ବର୍ଷ ଧରି ବିଜେପିକୁ ସମର୍ଥନ କରି ଆସୁଛନ୍ତି। ବିଜେପି ୨୦୧୮ ତୁଳନାରେ ଚଳିତ ନିର୍ବାଚନରେ ଲିଙ୍ଗାୟତଙ୍କୁ ଅଧିକ ଟିକେଟ୍ ଦେଇଛି। ବିଜେପି ଲିଙ୍ଗାୟତମାନଙ୍କୁ ୬୮ଟି ଟିକେଟ ଦେଇ ବଡ଼ ହଚଚମଟ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷେ କଂଗ୍ରେସ ୨୦୧୮ ରେ ୪୩ ଲିଙ୍ଗାୟତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବାବେଳେ ଚଳିତ ନିର୍ବାଚନରେ ଏହା ୫୧ ଲିଙ୍ଗାୟତ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ଲିଙ୍ଗାୟତ ଓ ଭୋକ୍କାଲିଗା ବାଦ୍ ସମସ୍ତ ଏସ୍ସି/ଏସଟି ସମ୍ପ୍ରଦାୟରୁ ୨୪ ପ୍ରତିଶତ ଭୋଟ୍ ଆସୁଛି। ସମସ୍ତ ଦଳ ଏହି ସମ୍ପ୍ରଦାୟରୁ ମାତ୍ରାଧିକ ଭୋଟ୍ ଚାହାନ୍ତି।
ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ-ବିଜେପି ମୁହାଁମୁହିଁ
ବିଜେପିର ବିଦ୍ରୋହୀ ନେତାଙ୍କ ଉପରେ କଂଗ୍ରେସ-ଜେଡିଏସ୍ର ଭରସା
ଦୁର୍ନୀତିକୁ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ବିଜେପି ବିରୋଧରେ ପେସିଏମ୍ ଅଭିଯାନ ଆରମ୍ଭ କରି ହଇଚଇ ସୃଷ୍ଟି କରିବା ସହ ବିଜେପି ସରକାର ସରକାରୀ କାର୍ଯ୍ୟରେ ୪୦ ପ୍ରତିଶତ କମିସନ ଦାବି କରୁଛି ବୋଲି ଅଭିଯୋଗ କରିଛି। ଗତ ମାର୍ଚ୍ଚରେ ମଧ୍ୟ ବିଜେପି ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ଘରୁ ୮ କୋଟି ନଗଦ ଟଙ୍କା ମିଳିଥିଲା ଏବଂ ତାଙ୍କ ପୁଅ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ। ଏନେଇ କଂଗ୍ରେସ ବିଜେପିକୁ ଘେରିଛି। ଅନ୍ୟପକ୍ଷେ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ ପରିସରରେ ଥିବା କଂଗ୍ରେସ ନେତାମାନଙ୍କ ନାଁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରୁଛି।
କର୍ଣ୍ଣାଟକ ମୁ୍ଖ୍ୟତଃ ୬ଟି ଅଞ୍ଚଳରେ ବିଭକ୍ତ। ବିଜେପିର ଉପକୂଳ କର୍ଣ୍ଣାଟକ, କିଟ୍ଟୁର ଓ ବମ୍ବେ କର୍ଣ୍ଣାଟକ ଏବଂ କେନ୍ଦ୍ରୀୟ କର୍ଣ୍ଣାଟକରେ ଦଖଲ ରହିଛି। ୨୦୧୮ରେ ବିଜେପି ଏହି ୩ଟି ଅଞ୍ଚଳରେ ୧୦୪ ଆସନରୁ ୭୦ଟିରେ ଜିତିଥିଲା।
ଅନ୍ୟପକ୍ଷେ କଂଗ୍ରେସର ହାଇଦ୍ରାବାଦ କର୍ଣ୍ଣାଟକ ଏବଂ ବେଙ୍ଗାଲୁରୁ ଅର୍ବାନ ଅଞ୍ଚଳରେ ଦଖଲ ରହିଛି। ପୁରୁଣା ମହୀଶୁର ହେଉଛି ଜେଡିଏସ୍ର ଗଡ଼। ଜେଡିଏସ୍ ଏହି ଅଞ୍ଚଳରେ ୫୭ ଆସନରୁ ୨୭ଟି ଆସନରେ ଜିତିଥିଲା। ୨୦୧୮ରେ ବିଜେପି ପୁରୁଣା ମହୀଶୁର ଅଞ୍ଚଳର ୮ଟି ଜିଲ୍ଲାରୁ ୫ଟି ଜିଲ୍ଲାରେ କୌଣସି ଗୋଟିଏ ଆସନରେ ଜିତି ପାରିନଥିଲା। ଏହି ୮ଟି ଜିଲ୍ଲା ହେଉଛି ତୁମକୁର, ହାସନ, ମାଣ୍ଡ୍ୟା, କୋଡ଼ାଗୁ, ମହୀଶୁର, କୋଲାର, ରାମନଗର ଏବଂ ଚାମରାଜନଗର। କଂଗ୍ରେସ ବିଜେପିର ଗଡ଼ ତଥା କେନ୍ଦ୍ରୀୟ , ଉପକୂଳ ଏବଂ କିଟ୍ଟୁର କର୍ଣ୍ଣାଟକରେ ବିଜେପିର ଅଙ୍କ ବିଗାଡ଼ିବାକୁ ଚେଷ୍ଟା ଚଳାଇଛି। କେନ୍ଦ୍ରୀୟ କର୍ଣ୍ଣାଟକର ଉପକୂଳ ଅଂଶକୁ କର୍ଣ୍ଣାଟକର ହିନ୍ଦୁତ୍ବ ଲ୍ୟାବ୍ କୁହାଯାଉଛି। ପରିଶେଷରେ ବିଜେପି ବିରୋଧରେ ଚଳିତ ନିର୍ବାଚନରେ ବିଦ୍ରୋହ ବଢ଼ିଛି। ଟିକେଟ ପାଇନଥିବା ୧୦ରୁ ଅଧିକ ବିଜେପି ବିଧାୟକ ଏବଂ ଏମଏଲସି କଂଗ୍ରେସ ଓ ଜେଡିଏସ୍ରେ ଯୋଗ ଦେଇଛନ୍ତି। କଂଗ୍ରେସ ଏବେ ବିଜେପିରୁ ଆସିଥିବା ବିଦ୍ରୋହୀ ନେତାଙ୍କ ଉପରେ ଭରସା କରି କିଛି ଚମତ୍କାର କରିବାପାଇଁ ଚେଷ୍ଟା ଚଳାଇଛି।