୪ ରାଜ୍ୟକୁ ବ୍ୟାପିଲା କର୍ଣ୍ଣାଟକ ତାତି

ସରକାର ଗଠନ ପାଇଁ ସୁଯୋଗ ଦେବାକୁ ଦାବି କଲେ ସବୁଠାରୁ ବଡ଼ ଦଳ

ପାଟନା: କର୍ଣ୍ଣାଟକ ଫର୍ମୁଲାକୁ ନେଇ ଅନ୍ୟ ରାଜ୍ୟଗୁଡ଼ିକରେ ଏବେ ବିରୋଧୀ ଦଳ ସରକାର ଗଢ଼ିବାକୁ ଦାବି କରିଛନ୍ତି। ଆଜି ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଆରଜେଡି ନେତା ତେଜସ୍ୱୀ ଯାଦବ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି। ଗୋଆରେ କଂଗ୍ରେସ ବିଧାୟକ ଦଳ ଆଜି ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଭେଟିଥିଲେ। ରାଜ୍ୟରେ କଂଗ୍ରେସ ସବୁଠୁ ବଡ଼ ଦଳ ହୋଇଥିବାରୁ ସରକାର ଗଢିବାର ସୁଯୋଗ ସେମାନଙ୍କୁ ମିଳୁ ବୋଲି ସେମାନେ କହିଛନ୍ତି। ସେହିପରି ମଣିପୁରରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓକ୍ରମ ଇବୋବୀ ସିଂହ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ଅନୁରୂପ ଦାବି କରିଛନ୍ତି। ତେବେ ରାଜ୍ୟପାଳ ମୁଖୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଓକ୍ରମ ଇବୋବୀ ସିଂହ କହିଥିଲେ ଯେ, ଶନିବାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ ସରିବା ପରେ ସେ ଏହି ପ୍ରସଙ୍ଗରେ ବିଚାର କରିବେ । ୨୦୧୫ ବିହାର ନିର୍ବାଚନରେ ସର୍ବାଧିକ ଆସନ ପାଇଥିବା ଲାଲୁ ଯାଦବଙ୍କ ଆରଜେଡି ଏବେ ବିହାରରେ ସରକାର ଗଢିବାକୁ ଅନୁମତି ମାଗିଛି । ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ କଂଗ୍ରେସ ଓ ହିନ୍ଦୁସ୍ତାନ ଆଓ୍ଵାମ୍‌ ମୋର୍ଚ୍ଚା ବିଧାୟକ ରାଜଭବନରେ ପହଂଚି ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଭେଟିଛନ୍ତି। କର୍ଣ୍ଣାଟକରେ ଯେଭଳି ସବୁଠୁ ବଡ଼ ଦଳକୁ ସରକାର ଗଢିବାର ସୁଯୋଗ ମିଳିଲା ଆର୍‌ଜେଡିକୁ ମଧ୍ୟ ସେହି ସୁଯୋଗ ମିଳୁ ବୋଲି ତେଜସ୍ୱୀ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ରାଜଭବନରୁ ବାହାରି ଆରଜେଡି, କଂଗ୍ରେସ ଓ ହମ ଦଳର ବିଧାୟକମାନେ ପାଟନାରେ ଧାରଣା ଦେଇଛନ୍ତି। କର୍ଣ୍ଣାଟକରେ ଗଣତନ୍ତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆରଜେଡି ଆଜି ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଧାରଣା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର