କର୍ଣ୍ଣାଟକ ନିର୍ବାଚନ: ଆରମ୍ଭରୁ ବିବାଦ

ମେ’ ୧୨ରେ କର୍ଣ୍ଣାଟକ ଭୋଟ୍‌, ୧୫ରେ ଗଣତି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’ ୧୨ ତାରିଖରେ ନିର୍ବାଚନ ହେବ। ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ମେ’ ୧୫ ତାରିଖରେ ଭୋଟ ଗଣତି ହେବ। ଆଜି ମୁଖ୍ୟ ନିର୍ବାଚନ କମିସନର ଓ ପି ରାଓ୍ଵତ୍‌ ଏହି ଘୋଷଣା କରିଛନ୍ତି। ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍‌(ଇଭିଏମ୍‌) ସହିତ ଭୋଟର ଭେରିଫାଏଡ୍‌ ପେପର ଅଡ଼ିଟ୍‌ ଟ୍ରେଲ୍‌(ଭିଭିପିଏଟି) ମେସିନ୍‌ ମଧ୍ୟ ବ୍ୟବହୃତ ହେବ ବୋଲି ରାଓ୍ଵତ୍‌ ସ୍ପଷ୍ଟ କରିଛନ୍ତି। ରାଜ୍ୟର ସମସ୍ତ ୨୨୪ଟି ଯାକ ଆସନ ପାଇଁ ଗତ ଥର ଭଳି ଗୋଟିଏ ପର୍ଯ୍ୟାୟରେ ହିଁ ଭୋଟଗ୍ରହଣ ହେବ। ଏଥିପାଇଁ ଏପ୍ରିଲ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଏପ୍ରିଲ ୨୪ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୭ ରହିଛି। ନିର୍ବାଚନ କମିସନଙ୍କ ଏହି ତାରିଖ ଘୋଷଣା ପରେ ରାଜ୍ୟରେ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଗତ ୨୦୧୩ ନିର୍ବାଚନରେ କଂଗ୍ରେସ ୧୨୨ଟି ଆସନ ଦଖଲ କରିଥିଲା। ଅପରପକ୍ଷେ, ବିଜେପିକୁ ୪୩ଟି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌)କୁ ୪୦ଟି ଆସନ ମିଳିଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନେତୃତ୍ୱରେ ପୁଣି ଲଢ଼େଇ ଜାରି ରଖିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିବା ବେଳେ ବିଜେପି ବି ଏସ୍‌ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡ଼ା କରାଇବ। ଅପରପକ୍ଷେ, ଜେଡିଏସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ଜେଡିଏସ୍‌ର ୭ ଜଣ ବିଧାୟକ କଂଗ୍ରେସ ସପକ୍ଷରେ ଭୋଟ ଦେବା ସହ ସୋମବାର ସେମାନେ କଂଗ୍ରେସରେ ଯୋଗଦେଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଏହି ଦଳ ବିଜେପି ନା କଂଗ୍ରେସ ସହ ଆସନ ବୁଝାମଣା କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଲୋକସଭା ଉପନିର୍ବାଚନରେ ସାଂଘାତିକ ପରାଜୟର ସମ୍ମୁଖୀନ ହୋଇଥିବା ବିଜେପି କର୍ଣ୍ଣାଟକ ନିର୍ବାଚନରେ ଆଶାତୀତ ସଫଳତା ଲାଭ କରି କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଅଧ୍ୟକ୍ଷ ଅମିତ ଶାହ କଳବଳ କୌଶଳ ଖଟେଇବା ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ, ଦେଶର ସର୍ବ ପୁରାତନ ଦଳ କଂଗ୍ରେସ କର୍ଣ୍ଣାଟକକୁ ଛାଡ଼ିଦେଲେ ଆଉ କେବଳ ପଞ୍ଜାବ, ମିଜୋରାମ ଓ ପୁଡୁଚେରିରେ ଶାସନରେ ରହିଛି। ଲୋକସଭାକୁ ସତେଇଶି ଜଣ ପ୍ରତିନିଧିତ୍ୱ କରୁଥିବା ଏହି କର୍ଣ୍ଣାଟକ ଗଡ଼କୁ ଯେମିତି ହେଲେ ଜାବୁଡ଼଼ି ରଖିବା ହିଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଶାସନ ଦଖଲ ସ୍ୱପ୍ନ ପାଇଁ ଏକମାତ୍ର ସାହା ଭରସା ସାଜିଛି।

ଦୁଇ ଅମିତଙ୍କୁ ନେଇ ଅଡ଼ୁଆରେ ବିଜେପି

ଆଜି କର୍ଣ୍ଣାଟକ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏଥିପାଇଁ ବିଜେପିର ଦୁଇ ଅମିତ ଦାୟୀ। ସେମାନଙ୍କ ଯୋଗୁଁ ବିଜେପି ଅଡ଼ୁଆରେ ପଡ଼ିଯାଇଛି। ଜଣେ ହେଉଛନ୍ତି ପାର୍ଟିର ସଭାପତି ଅମିତ ଶାହ ଏବଂ ଅନ୍ୟ ଜଣେ ହେଉଛନ୍ତି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ। ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପୂର୍ବରୁ ମାଲବ୍ୟ ଏହି ତାରିଖ ଟୁଇଟ କରି ଦଳକୁ ଅପଦସ୍ଥ କରାଇଛନ୍ତି। ସେହିଭଳି ଦଳର ଅଧ୍ୟକ୍ଷ ଅମିତ ଶାହ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମ୍‌ିଳନୀରେ ନିଜ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି।

ଘୋଷଣା ପୂର୍ବରୁ ବିଜେପି ଟ୍ଵିଟରରେ ତାରିଖ
ନୂଆଦିଲ୍ଲୀ ଆଜି ନିର୍ବାଚନ କମିସନ(ଇସି) କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରିବା ପୂର୍ବରୁ ବିଜେପିର ସୂଚନା ପ୍ରଯୁକ୍ତି ବିଭାଗ ମୁଖ୍ୟ ଅମିତ୍‌ ମାଲବ୍ୟଙ୍କ ଟ୍ଵିଟରରେ ତାହା ଉପଲବ୍ଧ ହେବା ଘଟଣା ରାଜନୈତିକ ଝଡ଼ ସୃଷ୍ଟି କରିଛି। ନିର୍ବାଚନ କମିସନ ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଏବଂ ଘୋଷଣା ପୂର୍ବରୁ ଏହି ତାରିଖ କିପରି ଲିକ୍‌ ହେଲା ତାହାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ୭ ଦିନ ମଧ୍ୟରେ ଉକ୍ତ କମିଟି ରିପୋର୍ଟ ଦେବ। ଆବଶ୍ୟକ ପଡ଼ିଲେ କମିସନ ସିବିଆଇ ତଦନ୍ତ କରାଇ ପାରନ୍ତି ବୋଲି ଜଣାପଡ଼ିଛି।

ଆଜି କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ପାଇଁ ମୁଖ୍ୟ ନିର୍ବାଚନ କମିସନର ରାଓ୍ଵତ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ତେବେ ସେ ତାରିଖ ଘୋଷଣା କରିବା ପୂର୍ବରୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତଙ୍କ ଟ୍ଵିଟରରେ ତାରିଖରେ ସୂଚନା ଆସିଥିଲା। ଏସଂପର୍କରେ ସାମ୍ବାଦିକମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ରାଓ୍ଵତ ସ୍ତବ୍‌ଧ ହୋଇଯାଇଥିଲେ। ଏହାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଅବଶ୍ୟ ମାଲବ୍ୟ ଟ୍ଵିଟ୍‌ କରିଥିବା ମତଦାନ ତାରିଖ ଠିକ୍‌ ଥିବା ବେଳେ ଭୋଟଗଣତି ତାରିଖ ଭୁଲ୍‌ ଜଣାପଡ଼ିଛି । ତେବେ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇସି କହିଛନ୍ତି। ଅପରପକ୍ଷେ, ଟିଭି ଚ୍ୟାନେଲ୍‌ ‘ଚାଇମ୍‌ସ ନାଓ’ରେ ସ୍କ୍ରୋଲିଂ ହେଉଥିବା ବ୍ରେକିଂ ନ୍ୟୁଜ୍‌ରୁ ସେ ଏପରି ତଥ୍ୟ ପାଇଥିଲେ ବୋଲି ମାଲବ୍ୟ ସଫେଇ ଦେଇଛନ୍ତି। ତେବେ ମାଲବ୍ୟଙ୍କ ଏହି ଟ୍ଵିଟ୍‌କୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ଘଟଣାରେ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁର୍ଜେଓ୍ଵାଲା ବିଜେପି ଏବେ ସୁପର ନିର୍ବାଚନ ଆୟୋଗ ପାଲଟିଯାଇଛି ବୋଲି ସମାଲୋଚନା କରି କହିଛନ୍ତି। ନିର୍ବାଚନ ଆୟୋଗ ସ୍ୱାଧୀନ ଭାବରେ କାମ ନ କରି ବିଜେପି କଥାରେ ନିଷ୍ପତ୍ତି ନେଉଛନ୍ତି ବୋଲି କଂଗ୍ରେସ ପ୍ରଥମେ ଅଭିଯୋଗ ଆଣିଥିଲା। ତେବେ ପରେ ନିଜର ଦଳୀୟ କର୍ମୀ ତଥା କର୍ଣ୍ଣାଟକର କଂଗ୍ରେସ ସାମାଜିକ ଗଣମାଧ୍ୟମ ମୁଖ୍ୟ ବି ଶ୍ରୀବାସ୍ତବଙ୍କ ଟ୍ଵିଟରରେ ମଧ୍ୟ ଅନୁରୂପ ଆଗତୁରା ନିର୍ବାଚନ ତାରିଖ ପ୍ରକାଶ ଦେଖି ଦଳ ସେହି ଆଭିମୁଖ୍ୟରୁ ଓହରି ଯାଇଥିଲା।

ଅମିତ ଶାହଙ୍କ ତୁଣ୍ଡରୁ ଖସିଗଲା

ନୂଆଦିଲ୍ଲୀ: କର୍ଣ୍ଣାଟକକୁ ନିର୍ବାଚନୀ ଗସ୍ତରେ ଯାଇଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଟିରୁ ଆଜି ଭୁଲ୍‌ବଶତଃ ଖସିଯାଇଥିବା ଏକ ଟିପ୍ପଣୀ ଚର୍ଚ୍ଚାର ବିଷୟ ପାଲଟିଛିିି। ଖାସ୍‌ କରି କଂଗ୍ରେସ ଏହାକୁ ଅସ୍ତ୍ର କରି ଫାଇଦା ଉଠାଇଛି। ସବୁଠୁ ଦୁର୍ନୀତିଗ୍ରସ୍ତ ଶାସନ ପାଇଁ ପ୍ରତିଯୋଗିତା ହେଲେ ୟେଦୁରପ୍ପା ସରକାର ପ୍ରଥମ ହେବେ ବୋଲି ଅମିତ ଦେଇଥିବା ବିବୃତି ଦଳୀୟ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରଛି। ବାସ୍ତବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟାଙ୍କ ଉଦ୍ଦେଶ୍ୟରେ ଶାହ ଏପରି ଟିପ୍ପଣୀ କରିବାକୁ ଚାହିଥିଲା ବେଳେ ତାଙ୍କ ପାଟିରୁ ଭୁଲ୍‌ବଶତଃ ୟେଦୁରପ୍ପାଙ୍କ ନାଁ ବାହାରି ଆସିଥିଲା। ଖୋଦ୍‌ ବିଜେପି ଅଧ୍ୟକ୍ଷ ସର୍ବସମକ୍ଷରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପାଙ୍କୁ ସବୁଠୁ ଦୁର୍ନୀତିଗ୍ରସ୍ତ ବୋଲି ଦେଇଥିବା ବିବୃତିକୁ ନିର୍ବାଚନରେ ବିଜେପି ବିରୋଧରେ ସ୍ୱର ଉଠାଇବା ପାଇଁ ଏକ ବଡ଼ ଅସ୍ତ୍ର ହେବ ବୋଲି କଂଗ୍ରେସ ଧରିନେଇଛି।

ସୂଚନାନୁଯାୟୀ, ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ସୁପ୍ରିମକୋର୍ଟର ଜଣେ ଅବରପ୍ରାପ୍ତ ବିଚାରପତିଙ୍କ ଉକ୍ତିକୁ ଉଦ୍ଧାର କରି ଦୁର୍ନର୍ୀତି ପାଇଁ ପ୍ରତିଯୋଗିତା ହେଲେ ୟେଦୁରପ୍ପା ସରକାର ପ୍ରଥମ ପୁରସ୍କାର ପାଇବ ବୋଲି କହିଥିଲେ। ତେବେ ଏପରି ଅପ୍ରତ୍ୟାଶିତ ଭୁଲ୍‌ ସମ୍ପର୍କରେ ଅମିତଙ୍କ ପାଖରେ ବସିଥିବା ନିଜେ ୟେଦୁରପ୍ପା ସତର୍କ କରାଇବା ପରେ ସେ ତୁରନ୍ତ ଠିକ୍‌ କରାଇନେଇଥିଲେ। ଅମିତଙ୍କ ଏଭଳି ଉକ୍ତିରେ ପ୍ରଥମେ ୟେଦୁରପ୍ପାଙ୍କ ମୁହଁ ମଳିନ ପଡ଼ିଯିବା ସହ ସେ ନିଜକୁ ଖୁବ୍‌ ଅସହଜ ମଣିଥିଲେ। ପରେ କଂଗ୍ରେସ ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ଦିବ୍ୟା ସ୍ପନ୍ଦନ ରାମ୍ୟା ଟ୍ଵିଟ୍‌ କରି ‘କିଏ ଜାଣିଥିଲା, ଅମିତଙ୍କ ପାଟିରୁ ଏମିତି ସତ ବାହାରି ଆସିବ’ ବୋଲି କହିଛନ୍ତି। ସେହିପରି ନିର୍ବାଚନ ପ୍ରଚାରର ଶୁଭ ଆରମ୍ଭ ପାଇଁ ବିଜେପି ଅଧ୍ୟକ୍ଷ ସୁନ୍ଦର ଖୋରାକ ଯୋଗାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ସୂଚନା ଥାଉ କି, ୨୦୦୮ ମସିହାରେ କର୍ଣ୍ଣାଟକରେ ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଥିବା ୟେଦୁରପ୍ପାଙ୍କ ବିରୋଧରେ ୨୦୧୧ ମସିହାରେ ଦୁର୍ନୀତି ମାମଲା ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରିତ୍ୱ ହରାଇବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର