କର୍ଣ୍ଣାଟକ ନିର୍ବାଚନ : ଦାଗୀ ନେତାଙ୍କୁ ଟିକଟ

ବେଙ୍ଗାଲୁରୁ : ଆଗାମୀ ମେ’ ୧୨ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ଦାଗୀ ନେତାଙ୍କୁ ଆପଣାଇ ନେଇଛନ୍ତି। ବିଜୟ ସମ୍ଭାବନା ଥିବା ଦାଗୀ ନେତାଙ୍କୁ ଉଭୟ ଦଳ ଟିକଟ ଦେଇଥିବା ବେଳେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନ ନେଇ ଚାଲିଥିବା ନିର୍ବାଚନୀ ଭାଷଣ କେବଳ ମିଥ୍ୟା ଆଶ୍ୱାସନା ବୋଲି ଜଣାପଡ଼ିଛି। ଉଭୟ ଦଳର ତାଲିକାରେ ଅପରାଧ ପୃଷ୍ଠଭୂମି ଥିବା ବହୁ ବ୍ୟକ୍ତି ରହିଥିବା ଏବଂ ଖଣି ମାଫିଆଙ୍କୁ ପ୍ରାଧାନ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି। ଯେନତେନ ପ୍ରକାରେ ନିର୍ବାଚନ ଜିତିବା ହିଁ ଉଭୟ ଦଳ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଥିବାରୁ ପ୍ରାର୍ଥୀ ଚୟନରେ ଆଦର୍ଶ ଓ ନୈତିକତା ହଜିଯାଇଛି।
ନିର୍ବାଚନ ପାଇଁ କଂଗ୍ରେସ ୨୧୮ଟି ଆସନ ନିମନ୍ତେ ପ୍ରାର୍ଥୀତାଲିକା ଘୋଷଣା କରି ସାରିଥିବାବେଳେ ବିଜେପି ୧୫୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଉଭୟ ଦଳରେ ନୂଆ ମୁହଁ ଖୁବ୍‌ କମ୍‌ ରହିଛନ୍ତି। ଦୁର୍ନୀତିଗ୍ରସ୍ତ, ବାହୁବଳି ଏବଂ ଖଣିମାଫିଆଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଆପଣାଇ ନେଇଥିବାରୁ ଜନତାଙ୍କ ମଧ୍ୟରେ ନୈରାଶ୍ୟ ଦେଖିବାକୁ ମିଳିଛି।
କଂଗ୍ରେସ ଖଣି ଦୁର୍ନୀତିରେ ସମ୍ପୃକ୍ତ ୩ ଜଣ ନେତା ଆନନ୍ଦ ସିଂହ, ସତୀଶ ସେଲ୍‌ ଏବଂ ନଗେନ୍ଦ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ବିଜେପି ଖଣି ମାଫିଆ ଜି ଜନାର୍ଦ୍ଦନ ରେଡ୍ଡିଙ୍କ ସାନ ଭାଇ ଜି. ସୋମଶେଖର ରେଡ୍ଡି ଏବଂ ବଲାରିର ବହୁବଳୀ ନେତା ବି ଶ୍ରୀରାମୁଲୁଙ୍କ ଦୁଇ ଜଣ ସମ୍ପର୍କୀୟ ଏଚଟି ସୁରେଶ ବାବୁ ଏବଂ ସନ୍ନା ଫକ୍କିରାପ୍ପାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ରେଡ୍ଡି ଭ୍ରାତାଙ୍କ ମଧ୍ୟରୁ ଅନ୍ୟଜଣେ ଜି କରୁଣାକର ରେଡ୍ଡିଙ୍କୁ ହରପନାହଲ୍ଲିରୁ ଟିକେଟ୍‌ ଦେବାପାଇଁ ବିଚାର କରାଯାଉଥିବା ଦଳୀୟ ସୁତ୍ରରୁ ଜଣାଯାଇଛି। ଏହାବାଦ ଜମି ଦୁର୍ନୀତି ମାମଲାରେ ସଂପୃକ୍ତ କଟ୍ଟା ସୁବ୍ରମନ୍ୟମ ନାଇଡ଼ୁ, ଏସ୍‌ ଏନ୍‌ କ୍ରିଷ୍ଣୈୟା ସେଟ୍ଟି ଏବଂ ନିକଟରେ କ୍ରସ୍‌ଭୋଟିଂ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିବା ଅଶୋକ ଖେନି ଏବଂ ଗୋଲିହାଟ୍ଟି ଶେଖର ମଧ୍ୟ ଟିକଟ ହାତେଇଛନ୍ତି।
ଜନସାଧାରଣ ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ କିଛି ନୂଆ ଦେଖିବାକୁ ଆଶା ରଖିଥିିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୁବ ନେତୃତ୍ୱ ଉପରେ ଗୁରୁତ୍ୱ ଦେଇଥିବାରୁ ସେ ଏଥର ନିର୍ବାଚନରେ କିଛି ଯୁବ ପ୍ରାର୍ଥୀ ଚୟନ କରିବେ ବୋଲି ଆଶା ପ୍ରକଟ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କିଛି ସରପ୍ରାଇଜ୍‌ ଦେଇପାରନ୍ତି ବୋଲି ଆଶା କରାଯାଉଥିଲା।

କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଦୁଇ ଦଳ ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ତାହାକୁ ନେଇ ଭୋଟର୍‌ ନିରାଶ ହୋଇଛନ୍ତି। ଉଭୟ ଦଳ କୌଣସି ଦୁର୍ନୀତିଗ୍ରସ୍ତ ଓ ଦାଗୀ ନେତାଙ୍କ ପାଇଁ ଅଙ୍କୁଶ ଲଗାଇ ନାହାନ୍ତି। ପ୍ରାର୍ଥୀ ତାଲିକାରେ କୌଣସି ନୁଆ ମୁୁହଁକୁ ବି ସୁଯୋଗ ମିଳିନି। କଳେବଳେ କୌଶଳେ ନିର୍ବାଚନ ଜିଣିବା ଉପରେ ଗୁରୁତ୍ୱାରୋପ କରାଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ରାଜନୈତିକ ପଣ୍ଡିତମାନେ କହିଛନ୍ତି। ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ୨୫ ପୁରୁଣା ବିଧାୟକଙ୍କ ସ୍ଥାନରେ ନୂଆ ମୁହଁ ଆଣିବା ସପକ୍ଷରେ ଥିଲେ। କିନ୍ତୁ କଂଗ୍ରେସ ହାଇ କମାଣ୍ଡ୍‌ ସୁରୁଖୁରୁରେ ନିର୍ବାଚନ ସମ୍ପାଦନ ପାଇଁ କୌଣସି ପ୍ରକାର ରିସ୍କ୍‌ନେବାକୁ ଚାହିଲେନି। ତେଣୁ ଦାଗୀ ନେତାଙ୍କୁ ଚୟନ କରିବାରେ ଆଉ କୌଣସି ସମସ୍ୟା ରହିଲା ନାହିଁ। ବିଜେପି ମଧ୍ୟ ସମାନ ନୀତିରେ ଦାଗୀ ନେତାଙ୍କୁ ଟିକଟ ଦେଇ ପୁନଃ କ୍ଷମତାକୁ ଫେରିବା ଆଶା ରଖିଛି।

ସମ୍ବନ୍ଧିତ ଖବର