କର୍ଣ୍ଣାଟକରେ ସରକାରୀ ମେଡିକାଲ୍‌ କଲେଜଗୁଡ଼ିକରେ ବାର୍ଷିକ ଫି ୨୦୦ ଗୁଣା ବଢିବ !

ବେଙ୍ଗାଲୁରୁ: ଡାକ୍ତରୀ ଶିକ୍ଷା ଲାଗି ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କର୍ଣ୍ଣାଟକର ସରକାରୀ ମେଡିକାଲ୍‌ କଲେଜଗୁଡ଼ିକର ଫି ବୃଦ୍ଧି ଘଟିବ। କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ଅଧିନରେ ଥିବା ୧୬ଟି ମେଡିକାଲ କଲେଜର ଫି’ରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଜଣାପଡ଼ିଛି। ଯେହେତୁ ଶିକ୍ଷା କ୍ଷେତ୍ରର ଆଧୁନୀକରଣ ଘଟୁଛି ଏବଂ ଆନୁଷଙ୍ଗିକ ବ୍ୟୟ ବଢୁଛି ତେଣୁ ସରକାରୀ ମେଡିକାଲ୍‌ କଲେଜଗୁଡ଼ିକରେ ଫି ବଢାଇବା ଜରୁରୀ ହୋଇ ପଡିଛି ବୋଲି ରାଜ୍ୟ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଡି.କେ.ଶିବକୁମାର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ସରକାରୀ ମେଡିକାଲ୍‌ କଲେଜଗୁଡ଼ିକରେ ବର୍ତ୍ତମାନ ଅଣ୍ଡରଗ୍ରାଜୁଏଟ୍‌ କୋର୍ସ ଲାଗି ୧୭୦୦୦ ଟଙ୍କା ବାର୍ଷିକ ଫି ନିଆଯାଇଛି। ଏହାକୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ସେହିଭଳି ପୋଷ୍ଟ-ଗ୍ରାଜୁଏଟ୍‌ କୋର୍ସଗୁଡ଼ିକର ବାର୍ଷିକ ଫି ୫୦,୦୦୦ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ବିଚାର କରାଯାଉଛି। ମୋଟାମୋଟି ବାର୍ଷିକ ଫିରେ ୧୯୪ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି। ସରକାରୀ ମେଡିକାଲ କଲେଜଗୁଡ଼ିକରେ ଅଧିକ ସୁବିଧା-ସୁଯୋଗ ଯୋଗାଇ ଦେବା ଲାଗି ଆବଶ୍ୟକୀୟ ଅର୍ଥ ଏଥିରୁ ସଂଗ୍ରହ କରାଯିବ।

ଏଥିିସହ ୨୦୧୯-୨୦ ଶିକ୍ଷା ବର୍ଷଠାରୁ ପ୍ରବାସୀ ଭାରତୀୟ ଛାତ୍ରମାନଙ୍କୁ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବା ଲାଗି ସୁଯୋଗ ଦିଆଯିବ ବୋଲି କର୍ଣ୍ଣାଟକ ବିଧାନ ପରିଷଦରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ମେଡିକାଲ୍‌ ଶିକ୍ଷା ମନ୍ତ୍ରୀ ଶିବ କୁମାର।

ସମ୍ବନ୍ଧିତ ଖବର