କର୍ଣ୍ଣାଟକ ସରକାରଙ୍କ ସବୁଜ ସଂକେତ:ଲିଙ୍ଗାୟତ ସ୍ୱତନ୍ତ୍ର ଧର୍ମ!

କେନ୍ଦ୍ରର ମଞ୍ଜୁରିକୁ ଅପେକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବସବାସ କରୁଥିବା ଲିଙ୍ଗାୟତ ସମ୍ପ୍ରଦାୟକୁ ସ୍ୱତନ୍ତ୍ର ଧର୍ମର ମାନ୍ୟତା ଦାବି ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ସିଦ୍ଦରାମୟାଙ୍କ ସରକାର ସମର୍ଥନ ଜଣାଇଛନ୍ତି। ଆଜି କର୍ଣ୍ଣାଟକ କ୍ୟାବିନେଟରେ ଏହି ସମ୍ପର୍କିତ ବିଲ୍‌ ପାସ୍‌ ହେବା ପରେ ମଞ୍ଜୁରି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ବୋଲି ରାଜ୍ୟ ଆଇନ୍‌ ମନ୍ତ୍ରୀ ଟିବି ଜୟଚନ୍ଦ୍ର କହିଛନ୍ତି। କେନ୍ଦ୍ରର ମଞ୍ଜୁରି ମିଳିବା ପରେ ଲିଙ୍ଗାୟତ ଓ ବୀରଶୈବ ଲିଙ୍ଗୟାତଙ୍କୁ ଭିନ୍ନ ସମ୍ପ୍ରଦାୟ ଭାବେ ପରିଗଣିତ କରାଯିବ। ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଲେ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମଧ୍ୟ ଲିଙ୍ଗାୟତଙ୍କୁ ମିଳିପାରିବ।
ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍‌ ନାଗମୋହନ ଦାସ କମିଟି ଲିଙ୍ଗାୟତଙ୍କୁ ସ୍ୱତନ୍ତ୍ର ଧର୍ମର ମାନ୍ୟତା ମିଳିିବା ଉଚିତ ବୋଲି ରିପୋର୍ଟ ଦେବା ପରେ କର୍ଣ୍ଣାଟକ ସରକାର ଏହି ବିଲ୍‌କୁ ମଞ୍ଜୁରି ଦେଇଛନ୍ତି। ସେପଟେ କର୍ଣ୍ଣାଟକର ସିଦ୍ଦରାମୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଭୋଟ ବ୍ୟାଙ୍କ ପାଇଁ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ବିଜେପି ଅଭିଯୋଗ କରିଛି। ଏହି ଲିଙ୍ଗାୟତ ସମ୍ପ୍ରଦାୟର ୧୭ ପ୍ରତିଶତ ଭୋଟର ରହିଥିବାରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏହା ଏକ ବଡ଼ ପ୍ରସଙ୍ଗ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। କର୍ଣ୍ଣାଟକରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍‌ ୟେଦୁରପ୍ପା ମଧ୍ୟ ଏହି ସମ୍ପ୍ରଦାୟର ହୋଇଥିବାରୁ ରାଜ୍ୟର ଏହି ପ୍ରସ୍ତାବକୁ ସମର୍ଥନ ନକଲେ ବିଧାନସଭା ନିର୍ବାଚନ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। ।

ସମ୍ବନ୍ଧିତ ଖବର