ସବୁ ସାଂସଦଙ୍କୁ ଆଇଫୋନ୍‌ ବିବାଦରେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ ରାଜ୍ୟର ସାଂସଦମାନଙ୍କୁ ଲକ୍ଷେ ଟଙ୍କିଆ ଆଇଫୋନ୍‌ ଏକ୍ସ ସ୍ମାର୍ଟଫୋନ୍‌ ଏବଂ ୫,୦୦୦ ଟଙ୍କିଆ ବ୍ୟାଗ୍‌ ଉପହାର ସ୍ୱରୂପ ଦେଇଛନ୍ତି। ନିଜ ପକେଟ୍‌ରୁ ନୁହେଁ, ବରଂ ସରକାରଙ୍କ ରାଜସ୍ୱର ଦୁରୁପଯୋଗ କରି କୁମାରସ୍ୱାମୀ ଏଭଳି ଦାମୀ ସ୍ମାର୍ଟଫୋନ୍‌ ଦେଇଛନ୍ତି। ବିଜେପି ନେତା ରାଜୀବ ଚନ୍ଦ୍ରଶେଖର ଏଭଳି ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ବିବାଦରେ ପନିଛନ୍ତି। ଏକ ଟ୍ଵିଟ୍‌ କରି ଚନ୍ଦ୍ରଶେଖର କହିଛନ୍ତି, କାବେରୀ ପ୍ରସଙ୍ଗରେ ଆସନ୍ତାକାଲି ରାଜ୍ୟର ସାଂସଦମାନେ ଏକାଠି ହେଉଥିବା ଜାଣି ଖୁସି ଲାଗୁଛି। କିନ୍ତୁ ତୁମ ସରକାର କ’ଣ ପାଇଁ ସାଂସଦମାନଙ୍କୁ ଦାମୀ ଫୋନ୍‌ ଓ ବ୍ୟାଗ୍‌ ଦେଉଛନ୍ତି? ଏହା ଟ୍ଵିଟ୍‌ କରିବା ସହିତ ବିଜେପି ନେତା ଜଣକ ଦୁଇଟି ଛବି (ଆଇଫୋନ୍‌ ଏକ୍ସ ଓ ବ୍ୟାଗ୍‌) ପୋଷ୍ଟ କରିଛନ୍ତି। ଅପରପକ୍ଷରେ କୁମାରସ୍ୱାମୀ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ଆଇଫୋନ୍‌ ଉପହାର ଦେବା ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହିଁ। କିଏ ଏହି ଫୋନ୍‌ ଉପହାର ଦେଇଛି ତାହା ମୁଁ ଜାଣିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ ୩୮ ସାଂସଦ ଏହି ଫୋନ୍‌ ପାଇଥିବା ବେଳେ ୧୮ ଜଣ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଜଳସେଚନ ମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ କେବଳ ବ୍ୟାଗ୍‌ ଦିଆଯାଇଛି। କିନ୍ତୁ ମୁଁ ନିଜ ଟଙ୍କାରେ ସାଂସଦମାନଙ୍କୁ ଆଇଫୋନ୍‌ ଉପହାର ଦେଇଛି।

ସମ୍ବନ୍ଧିତ ଖବର