କର୍ଣ୍ଣାଟକ ରାଜନୀତି:କୁମାରସ୍ବାମୀଙ୍କ ଇସ୍ତଫା ଧମକ:କଂଗ୍ରେସ ନେତା ସୀମା ଟପିଗଲେଣି

ବେଙ୍ଗାଲୁରୁ,: କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପୁଣି ଜଟିଳ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ବାମୀ ଆଜି କଂଗ୍ରେସ ନେତାଙ୍କୁ କଡ଼ା ସମାଲୋଚନା କରିବା ସହ ସେମାନେ ସବୁ ସୀମା ଅତିକ୍ରମ କରିଗଲେଣି ବୋଲି କହିଛନ୍ତି। ଏହି ସ୍ଥିତିରେ ପରିବର୍ତ୍ତନ ନହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ମଧ୍ୟ କୁମାରସ୍ବାମୀ ଧମକ ଦେଇଛନ୍ତି। କଂଗ୍ରେସ ବିଧାୟକମାନେ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଅହରହ ଉଦ୍ୟମ କରୁଛନ୍ତି ଏବଂ ସେମାନଙ୍କୁ ଦଳର କିଛି ଆଗଧାଡ଼ିର ନେତା ଉସୁକାଇବାରେ ଲାଗିଛନ୍ତି ବୋଲି କୁମାରସ୍ବାମୀ କହିଛନ୍ତି। ସିଦ୍ଧରାମେୟା ଗୋଷ୍ଠୀର ବିଧାୟକମାନଙ୍କୁ ଇଙ୍ଗିତ କରି କୁମାରସ୍ବାମୀ ଏହା କହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବରଙ୍କର ଏହା ପଛରେ ସମର୍ଥନ ଥିବା କୁହାଯାଉଛି। କୁମାରସ୍ବାମୀ ଆଜି କଂଗ୍ରେସକୁ ଚେତାବନୀ ଦେଇ କହିଛନ୍ତି ଯେ, କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ନେତାମାନଙ୍କ ମତିଗତି ସଂପର୍କରେ ଭଲଭାବେ ଅବଗତ ହେବା ଦରକାର। କଂଗ୍ରେସ ନିଜ ବିଧାୟକମାନଙ୍କୁ ନିୟନ୍ତ୍ରଣରେ ନ ରଖିଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ତୟାର ବୋଲି କହିଛନ୍ତି।
କୁମାରସ୍ବାମୀଙ୍କ ଧମକ ପ୍ରସଙ୍ଗରେ ସିଦ୍ଧରାମେୟା କହିଛନ୍ତି ଯେ କଂଗ୍ରେସ-ଜେଡିଏସ୍‌ ସରକାର ପ୍ରତି କୌଣସି ବିପଦ ନାହିଁ। ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପରିବେଷଣ ହେଉଥିବାରୁ ଏହାକୁ ନେଇ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ତେବେ କେତେକ ଅସନ୍ତୁଷ୍ଟ ବିଧାୟକଙ୍କ ପାଇଁ ସମସ୍ୟା ଲାଗି ରହିଛି ବୋଲି ସେ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ବର କହିଛନ୍ତି, ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ମତ ରଖିଛନ୍ତି ଏବଂ ଏହା ତାଙ୍କର ଅଧିକାର।

ସମ୍ବନ୍ଧିତ ଖବର