ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ର ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। ବିଦ୍ରୋହୀ ବିଧାୟକ ଏବଂ ବାଚସ୍ପତି ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ଏ ବାବଦ ଶୁଣାଣି ଶେଷ ହୋଇଛି ଏବଂ ରାୟ ସଂରକ୍ଷିତ ରଖାଯାଇଛି।। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ସୁପ୍ରିମ୍ କୋର୍ଟ ତାଙ୍କ ରାୟ ଶୁଣାଇବେ। ବାଚସ୍ପତି ଇସ୍ତଫା ଗ୍ରହଣ କରୁନଥିବାରୁ ପ୍ରଥମେ ୧୦ ଜଣ ବିଧାୟକ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ପରେ ଆଉ ୫ ଜଣ ବିଧାୟକ ମଧ୍ୟ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମ୍ କୋର୍ଟରେ ମାମଲା ରୁଜୁ କରିଥିଲେ। ଆଜି ସୁପ୍ରିମ୍ କୋର୍ଟ ସମସ୍ତ ୧୫ ବିଧାୟକଙ୍କ ଆବେଦନ ଏବଂ ବାଚସ୍ପତିଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ବିଦ୍ରୋହୀ ବିଧାୟକଙ୍କ ମାମଲାରେ କୌଣସି ନିଷ୍ପତ୍ତି ନେବା ଉପରେ ସୁପ୍ରିମ୍ କୋର୍ଟ କଟକଣା ଜାରି ରଖିଥିବାରୁ ଏହାକୁ ହଟାଇ ନେବାକୁ ବାଚସ୍ପତି ଦାବି କରିଥିଲେ। ଅନ୍ୟପକ୍ଷରେ ବିଧାୟକମାନେ କହିଥିଲେ ଯେ ବାଚସ୍ପତି ସେମାନଙ୍କ ଇସ୍ତଫା ସଂପର୍କରେ କୌଣସି ନିଷ୍ପତ୍ତି ନନେଇ ଦିନ ଗଡ଼ାଇ ଚାଲିଛନ୍ତି ଏବଂ ବାଚସ୍ପତିଙ୍କ ଆଭିମୁଖ୍ୟ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।
ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କହିଥିଲେ. ବିଧାୟକମାନଙ୍କର ଇସ୍ତଫା ଦେବାପାଇଁ ମୌଳିକ ଅଧିକାର ରହିଛି ଏବଂ ଏଥିରୁ ସେମାନଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ। ସେମାନଙ୍କ ଅଧିକାର ଉପରେ ଆକ୍ରମଣ ନକରି ସାମ୍ବିଧାନିକ ବ୍ୟବସ୍ଥା ମୁତାବକ ଇସ୍ତଫା ତୁରନ୍ତ ସ୍ବୀକାର କରିବାକୁ ହେବ। ଯେ ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ନିଷ୍ପତ୍ତି ନ ହୋଇଛି ସେ ପର୍ଯ୍ୟନ୍ତ ସେମାନଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାରୁ ଛାଡ଼ କରାଯିବା ଉଚିତ ବୋଲି ରୋହତଗି କହିଥିଲେ।
ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ଅଯୋଗ୍ୟତା ଏବଂ ଇସ୍ତଫା ଉପରେ ନିଷ୍ପତ୍ତି ନେବାର ଅଧିକାର କେବଳ ବାଚସ୍ପତିଙ୍କର ରହିଛି। ବାଚସ୍ପତି ତାଙ୍କ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଏଥିରେ ସୁପ୍ରିମ୍ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ତେବେ ଏହାକୁ ବିରୋଧ କରି ରୋହତଗି କହିଥିଲେ ଯେ ଅଯୋଗ୍ୟ ଘୋଷଣାରୁ ବର୍ତ୍ତିବା ପାଇଁ ଆଗୁଆ ଇସ୍ତଫା ଦେବାରେ କିଛି ସମସ୍ୟା ନାହିଁ। ବାଚସ୍ପତି ଜାଣିଶୁଣି ଇସ୍ତଫା ସ୍ବୀକାର ନକରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ।
କର୍ଣ୍ଣାଟକ ବିଧାନସଭାରେ ଆଗାମୀ ଗୁରୁବାର ଦିନ ଆସ୍ଥା ଭୋଟ୍ ହେବାକୁ ଥିବାରୁ ଆସନ୍ତାକାଲି ସୁପ୍ରିମ୍ କୋର୍ଟଙ୍କ ରାୟ ଉପରେ ଅନେକ କିଛି ନିର୍ଭର କରୁଛି। ବାଚସ୍ପତି ଆଜି କହିଛନ୍ତି ଯେ ସୁପ୍ରିମ୍ କୋର୍ଟ ଏହି ମାମଲାରେ ସ୍ଥିତାବସ୍ଥା ଉଠାଇ ଦେଲେ ସେ ବୁଧବାର ସୁଦ୍ଧା ବିଧାୟକଙ୍କ ଇସ୍ତଫା ମାମଲାରେ ନିଷ୍ପତ୍ତି ନେଇପାରିବେ।
କର୍ଣ୍ଣାଟକ ବିଧାୟକଙ୍କ ଇସ୍ତଫା ମାମଲା:ସୁପ୍ରିମ୍ କୋର୍ଟ ରାୟ ଆଜି
ବିଧାୟକଙ୍କ ମୌଳିକ ଅଧିକାର ଉପରେ ଆକ୍ରମଣ ହେଉଛି: ରୋହତଗି ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବା ଅଧିକାର କେବଳ ବାଚସ୍ପତିଙ୍କର: ସିଂଘଭି
/sambad/media/post_attachments/wp-content/uploads/2019/07/ramesh-sc-jpg_710x400xt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)