କର୍ଣ୍ଣାଟକ ରାଜନୀତି:ଥମୁନି ଅଡିଓ କ୍ଲିପ୍‌ ବିବାଦ

ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମେଣ୍ଟରେ ଫାଟ!:ପୁଣି ବିଧାୟକଙ୍କୁ ଲୁଚାଇବେ କଂଗ୍ରେସ-ଜେଡିଏସ୍‌!

ବେଙ୍ଗାଲୁରୁ: ଯେଉଁ ଅଡିଓ କ୍ଲିପ୍‌ ଆଧାରରେ ବିଜେପି ଲାଞ୍ଚ ଦେଇ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରି ଆସୁଥିଲା, ଉକ୍ତ ଅଡିଓ କ୍ଲିପ ଏବେ ମିଛ ବୋଲି କଂଗ୍ରେସର ୟେଲ୍ଲାପୁର ବିଧାୟକ ଶିବରାମ ହେବ୍ଦର ଏକ ଫେସବୁକ୍‌ ପୋଷ୍ଟରେ କହିବା ପରେ ଦଳ ଅଡୁଆରେ ପଡ଼ି ଯାଇଛି। କଂଗ୍ରେସ ବିଧାୟକଙ୍କ ଏହି ମନ୍ତବ୍ୟ ଏବେ ବିଜେପିରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସେପଟେ ବିଧାୟକ ହେବ୍ଦରଙ୍କ ଏହି ଫେସ୍‌ବୁକ୍‌ ମନ୍ତବ୍ୟକୁ ନେଇ ଦଳରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।
ବିଧାୟକ ହେବ୍ଦର ଏହି ଅଡିଓ କ୍ଲିପକୁ ପ୍ରତ୍ୟାଖ୍ୟାାନ କରିଛନ୍ତି। ଆଜି ସେ ତାଙ୍କ ଫେସବୁକ ଆକାଉଣ୍ଟ ଯୋଗେ ଏହି ଘୋଷଣା କରି କହିଛନ୍ତି ଯେ, ଟିଭି ଚ୍ୟାନେଲ ଗୁଡ଼ିକରେ ପ୍ରସାରିତ ହେଉଥିବା ଉକ୍ତ ଅଡିଓ କ୍ଲିପରେ ତାଙ୍କ ପତ୍ନୀ ଓ ବିଜେପି ନେତାଙ୍କ ମଧ୍ୟରେ ହେଉଥିବା କଥୋପକଥନର ରେକର୍ଡିଂ ରହିଛି। ତେବେ ଉକ୍ତ କ୍ଲିପରେ ତଥାକଥିତ ବିଜେପି ନେତାଙ୍କ ସହ କଥା ହେଉଥିବା ମହିଳା ତାଙ୍କ ପତ୍ନୀ ନୁହନ୍ତି ବୋଲି ହେବ୍ଦର କହିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ପତ୍ନୀଙ୍କ ନିକଟକୁ କୌଣସି ବିଜେପି ନେତାଙ୍କଠାରୁ ଫୋନ କଲ୍‌ ଆସିନଥିଲା। ଉକ୍ତ ଅଡିଓକୁ ହେବ୍ଦର ନକଲି ବୋଲି କହିବା ସହିତ ଏଭଳି ମିଛ ପ୍ରମାଣକୁ ଭର୍ତ୍ସନା ମଧ୍ୟ କରିଛନ୍ତି। ସେପଟେ,ଏହି ଅଡିଓ ଟେପ୍‌ ରିଲିଜ କରିଥିବା କଂଗ୍ରେସ ନେତା ଉଗରପ୍ପା କହିଛନ୍ତି ଯେ, ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନରୁ ଏହି ଅଡିଓ କ୍ଲିପ ମିଳିଛି। ଦଳ କେବେ ଦାବି କରିନାହିଁ ଯେ, ଏହି ଅଡିଓ କ୍ଲିପରେ ଶୁଭୁଥିବା ସ୍ୱର ବିଧାୟକ ହେବ୍ଦରଙ୍କ ପତ୍ନୀଙ୍କର ବୋଲି ଉଗରପ୍ପା କହିଛନ୍ତି। ଉଲ୍ଳେଖଯୋଗ୍ୟ, କଂଗ୍ରେସ ବିଧାୟକଙ୍କ ପରିବାରକୁ ଫୋନ କରି ବିଜେପି ଲାଞ୍ଚ ଯାଚୁଥିବା ନେଇ କଂଗ୍ରେସ ଅଭିଯୋଗ କରିବା ସହ ଏହି ଅଡିଓ କ୍ଲିପର ପ୍ରମାଣ ମଧ୍ୟ ଦେଇଥିଲା। । ସେପଟେ, କର୍ଣ୍ଣାଟକ ବାଜି ହାରିବା ପରଠାରୁ କୌଣସି ପ୍ରତିକ୍ରିୟା ଦେଇ ନଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତିି। ଯେଉଁ କଂଗ୍ରେସ ଘୋଡ଼ା ବେପାର ହେଉଥିବା ଅଭିଯୋଗ ଆଣିଛି,ସେହି ଦଳ ନିଜେ ଘୋଡ଼ା ଶାଳକୁ କିଣି ନେଇଛି ବୋଲି ଶାହ କହିଛନ୍ତି।

ବେଙ୍ଗାଲୁରୁ: ବିଜେପିର ବି.ଏସ୍‌.ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଗଢିବା ନେଇ ସ୍ପଷ୍ଟ ହୋଇଯାଇଛି। ନିର୍ବାଚନ ପରବର୍ତ୍ତୀ ମେଣ୍ଟରେ ହୋଇଥିବା ସର୍ତ୍ତ ମୁତାବକ, ଜେଡିଏସ୍‌ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବେ ଓ କଂଗ୍ରେସର ଜଣେ ନେତା ଉପ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ୧୩-୨୦ରେ ଜେଡିଏସ୍‌-କଂଗ୍ରେସ ମଧ୍ୟରେ କ୍ୟାବିନେଟ ଆବଣ୍ଟନ ହେବା ପରେ କ୍ଷମତା ଡୋରିର ସନ୍ତୁଳନ ପାଇଁ କଂଗ୍ରେସ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଛି। ଏହି ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପଦ ଦାବିକୁ ଜେଡିଏସ୍‌ ଗ୍ରହଣ ନକରିବା ପରେ ଏହାକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଜଣାପଡ଼ିଛି। କଂଗ୍ରେସର କହିବା ମୁତାବକ,ଜଣେ ଦଳିତ ଓ ଜଣେ ଲିଙ୍ଗାୟତ ନେତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆସନରେ ରଖିଲେ କ୍ଷମତାର ସମୀକରଣ ସନ୍ତୁଳିତ ରହିବ। ଦଳୀୟ ବିଧାୟକ ଡି.ଶିବକୁମାର ଓ ଏମ୍‌.ବି.ପାଟିଲଙ୍କ ଅବଦାନ ପାଇଁ କର୍ଣ୍ଣାଟକରୁ ବିଜେପିକୁ ଶାସନ କ୍ଷମତାରୁ ଦୂରେଇବାରେ କଂଗ୍ରେସ ସଫଳ ହୋଇଥିବାରୁ ପୁରସ୍କାର ସଦୃଶ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପଦ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଦିଆଯିବା ଉଚିତ୍‌ ବୋଲି କଂଗ୍ରେସରେ ଚର୍ଚ୍ଚା ହେଉଛି। କଂଗ୍ରେସ-ଜେଡିଏସ୍‌ ସରକାର ଗଠନ କରିବା ପୂର୍ବରୁ ହିଁ କ୍ଷମତାକୁ ନେଇ ଲଢେଇ ଆରମ୍ଭ ହୋଇଯାଇଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଅତୀତରେ ମଧ୍ୟ କ୍ଷମତା ପାଇଁ କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ଜେଡିଏସ୍‌ ଓହରି ଯାଇଥିବା ବେଳେ ଏବେ ବି ସେଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନଠାରୁ ହିଁ କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନଙ୍କୁ ରିସର୍ଟରେ ରହିବାକୁ ପଡ଼ୁଛି। ବିଧାୟକଙ୍କ ଦଳ ବଦଳ ଭୟରେ ଗତ ଗୁରୁବାର ଠାରୁ ଏହି ବିଧାୟକଙ୍କୁ ତେଲେଙ୍ଗାନା ନିଆଯାଇଥିଲା ବେଳେ ଶନିବାର ସେମାନେ ବେଙ୍ଗାଲୁରୁ ଆସିଥିଲେ। କିନ୍ତୁ ୫୫ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଇସ୍ତଫା ଦେବା ପରେ ନୂଆ ସରକାର ଗଢ଼ିବାକୁ ଯାଉଥିବା ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ମଧ୍ୟ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଥିବାରୁ ବିଧାୟକମାନଙ୍କୁ ଏବେ ବି ବେଙ୍ଗାଲୁରୁ ସ୍ଥିତ ହୋଟେଲ ଓ ରିସର୍ଟରେ ରଖା ଯାଇଛି। ତେବେ ଆସନ୍ତା ଗୁରୁବାର ଆସ୍ଥା ଭୋଟ ଥିବାରୁ ବିଧାୟକ ମାନଙ୍କୁ ପୁଣିଥରେ ସହରରୁ ଦୂରକୁ ନେଇ ଲୁୁଚାଯିବାର ଯୋଜନା ହେଉଥିବା ଜଣାପଡ଼ିଛି।
ଆଗକୁ ଜଟିଳ ସ୍ଥିତି ରହିଛି: ଜି.ପରମେଶ୍ୱର
ବେଙ୍ଗାଲୁରୁ: କର୍ଣ୍ଣାଟକ କ୍ୟାବିନେଟରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ରାଜ୍ୟ କଂଗ୍ରେସ ସଭାପତି ଜି.ପରମେଶ୍ୱର କହିଛନ୍ତି ଯେ, ସରକାର ଗଢ଼ିବା ପାଇଁ ଆଗକୁ ଜଟିଳସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଆଗକୁ ଦଳ କେଉଁ କେଉଁ ପ୍ରକାର ପ୍ରତିବନ୍ଧକ ସାମ୍ନା କରିବ ତାହା ଏବେଠାରୁ ଦୃଶ୍ୟମାନ ହେଉଛି। ତଥାପି ଆମେ କଠିନ ପରିଶ୍ରମ କରି ରାଜ୍ୟରେ ଏକ ମଜବୁତ ସରକାର ଗଠନ କରିବୁ ବୋଲି ପରମେଶ୍ୱର କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପରମେଶ୍ୱର ଏଭଳି ବିବୃତି ଦେଇଥିବା ଜଣାପଡ଼ିଛି।
ରାହୁଲ,ସୋନିଆଙ୍କୁ ଭେଟିଲେ କୁମାରସ୍ୱାମୀ
ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଜେଡିଏସ୍‌ ନେତା ଏଚ.ଡି.କୁମାରସ୍ୱାମୀ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ରାଜ୍ୟରେ ସରକାର ଗଠନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ବୁଧବାର କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବ ଥିବା ବେଳେ ଏଥିରେ ଯୋଗଦେବା ପାଇଁ ଉଭୟଙ୍କୁ କୁମାରସ୍ୱାମୀ ଆମନ୍ତ୍ରଣ କରିଛନ୍ତି। ରାହୁଲ ଓ ସୋନିଆ ଗାନ୍ଧୀଙ୍କ ସହ ଭେଟ ସମୟରେ ଜେଡିଏସ୍‌ ନେତା ଦାନିଶ ଅଲ୍ଲୀ ଓ କଂଗ୍ରେସ ନେତା କେ.ସି.ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟରେ ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଦେଖା ଦେଇଥିବା ବେଳେ ଆସନ୍ତାକାଲି ଏନେଇ ନିଷ୍ପତ୍ତି ନିଆଯିବ ବୋଲି କୁମାରସ୍ୱାମୀ କୁହିଛନ୍ତି। ଆଜି କୁମାରସ୍ୱାମୀ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ଭେଟି ମେଣ୍ଟ ସରକାରର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ତାଙ୍କୁ ଆମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର