ଆଜି ସନ୍ଧ୍ୟା ୬ଟାବେଳେ ବାଚସ୍ପତିଙ୍କୁ ଭେଟିବାକୁ କର୍ଣ୍ଣାଟକର କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାବେଳେ ବାଚସ୍ପତିଙ୍କୁ ଭେଟି ଚାହିଁଲେ ଇସ୍ତଫା ପତ୍ର ଦେଇପାରିବେ ବୋଲି କର୍ଣ୍ଣାଟକର କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ। ବାଚସ୍ପତି ଆଜି ଏହାର ବିଚାର କରିବାକୁ ବି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଲେ ।

ଇସ୍ତଫା ଦେଇଥିବା କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକମାନେ ଗତକାଲି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବିଧାନସଭା ବାଚସ୍ପତି ରମେଶ କୁମାର ସେମାନଙ୍କ ଇସ୍ତଫା ଗ୍ରହଣ ନକରି ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଥିବା ଅଭିଯୋଗ କରି ବିଧାୟକମାନେ ସୁପ୍ରିମ୍ କୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ।

ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରି ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗିଙ୍କ ଯୁକ୍ତି ଶୁଣିଥିଲେ। ରୋହତଗି କହିଥିଲେ ଯେ ବିଧାୟକମାନେ ଇସ୍ତଫା ଦେଇ ପୁଣି ନିର୍ବାଚନ ଚାହୁଁଥିଲେ ମଧ୍ୟ ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ ନକରି ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛନ୍ତି। ଏହି ମାମଲାରେ ଆଜି ସୁପ୍ରିମ୍ କୋର୍ଟ ଜରୁରୀ ଶୁଣାଣି କରିଛନ୍ତି ।


କର୍ଣ୍ଣାଟକ ବିଧାନସଭାର ଅଧିବେଶନ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବାରୁ ବାଚସ୍ପତି ବିଧାୟକଙ୍କ ଇସ୍ତଫା ଗ୍ରହଣ ନକରି ସେମାନଙ୍କୁ ସେହି ସମୟରେ ଅଯୋଗ୍ୟ ଘୋଷଣା କରିବାକୁ ଯୋଜନା କରୁଥିବା କୁହାଯାଇଛି। ବିଧାୟକମାନେ କହିଛନ୍ତି ଯେ ସେମାନଙ୍କ ଇସ୍ତଫା ସଂପୂର୍ଣ୍ଣ ସ୍ବେଚ୍ଛାକୃତ ଥିଲେ ମଧ୍ୟ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରି ବାଚସ୍ପତି ସମ୍ବିଧାନର ମୂଳ ଢାଞ୍ଚାକୁ ଉଲ୍ଲଂଘନ କରୁଛନ୍ତି।

ସମ୍ବନ୍ଧିତ ଖବର