ବେଙ୍ଗାଲୁରୁ: ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍)ର ଉତ୍ପାଦନ ୟୁନିଟ୍ଗୁଡ଼ିକ ଆନ୍ଧ୍ରପ୍ରଦେଶକୁ ସମ୍ପ୍ରସାରିତ ହେବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ କର୍ଣ୍ଣାଟକ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୈଠକ ବେଳେ ନାଇଡୁ ଆନ୍ଧ୍ରପ୍ରଦେଶରେ ଏକ ନୂତନ ଗ୍ରୀନଫିଲ୍ଡ ହାଲ୍ କାରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ହାଲୁକା ଯୁଦ୍ଧ ବିମାନ (ଏଲ୍ସିଏ) ତେଜସ ଓ ଅନ୍ୟାନ୍ୟ ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ କରାଯିବ ବୋଲି ପ୍ରସ୍ତାବ ରହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ ସେମାନେ ବର୍ତ୍ତମାନର କୌଣସି ପ୍ରତିଷ୍ଠାନ ସ୍ଥାନାନ୍ତର କରିବାକୁ ଦାବି କରିନାହାନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ୍ ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହାଲ୍ର କୌଣସି ସମ୍ପ୍ରସାରଣ ଯୋଜନା ପାଇଁ ଆନ୍ଧ୍ର-କର୍ଣ୍ଣାଟକ ସୀମାଠାରୁ ମାତ୍ର ୭୦ କିଲୋମିଟର ଦୂରରେ ଲେପାକ୍ଷୀଠାରେ ୧୦,୦୦୦ ଏକର ଜମି ଦେବାକୁ ପ୍ରସ୍ତାବ ଦେଇଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ସୂତ୍ରରୁ ଜଣାପଡ଼ିଛି, ଏଭଳି ପ୍ରତିରକ୍ଷା ୟୁନିଟ୍ଗୁଡ଼ିକର ସମ୍ପ୍ରସାରଣ ଆନ୍ଧ୍ରପ୍ରଦେଶରେ ସମ୍ଭବ ଏବଂ କର୍ଣ୍ଣାଟକରେ ଏହା କଷ୍ଟକର ହୋଇପାରେ ବୋଲି ମତପ୍ରକାଶ ପାଇଥିଲା। ଭାରତର ପ୍ରମୁଖ ଏରୋସ୍ପେସ୍ ଓ ପ୍ରତିରକ୍ଷା ଉତ୍ପାଦନକାରୀ କମ୍ପାନି ହାଲ୍ ବର୍ତ୍ତମାନ କର୍ଣ୍ଣାଟକର ବେଙ୍ଗାଲୁରୁ ଓ ତୁମକୁରୁରେ ପ୍ରମୁଖ ଉତ୍ପାଦନ କାରଖାନା ପରିଚାଳନା କରୁଛି। ଏଲ୍ସିଏ ତେଜସ୍ ଓ ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାର୍କ୍ରାଫ୍ଟ (ଏଏମ୍ସିଏ) ସମେତ ଲଢୁଆ ବିମାନ, ହେଲିକପ୍ଟର ଓ ପ୍ରଶିକ୍ଷଣ ବିମାନ ଉତ୍ପାଦନର କେନ୍ଦ୍ରବିନ୍ଦୁ ହେଉଛି ଏହି ୟୁନିଟ୍।
ନାଇଡୁଙ୍କ ପ୍ରସ୍ତାବ ଉପରେ କର୍ଣ୍ଣାଟକର ନେତୃତ୍ୱ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ହାଲ୍ର ଉତ୍ପାଦନ ଭିତ୍ତିଭୂମି ରାଜ୍ୟର ଏରୋସ୍ପେସ୍ କ୍ଷେତ୍ର ସହିତ ଅବିଚ୍ଛେଦ୍ୟ ଭାବେ ଜଡ଼ିତ ଏବଂ ଏହାକୁ ସ୍ଥାନାନ୍ତର କିମ୍ବା ନକଲ କରାଯାଇପାରିବ ନାହିଁ। ମଙ୍ଗଳବାର କର୍ଣ୍ଣାଟକର ବୃହତ୍ ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଏମ୍ବି ପାଟିଲ ହାଲ୍କୁ ସ୍ଥାନାନ୍ତର କରିବା ବିଷୟରେ ହେଉଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ବେଙ୍ଗାଲୁରୁରେ ଅପରେସନ୍ ଜାରି ରହିବ। ଏକ ନୂତନ ୟୁନିଟ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇ ଥାଇପାରେ, ଯାହା ଏକ ଅଲଗା ବିଷୟ ବୋଲି ପାଟିଲ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧୀନ ସରକାର ରାଜ୍ୟରେ ହାଲ୍ ଓ ଏହାର ଆନୁଷଙ୍ଗିକ ଭିତ୍ତିଭୂମିକୁ ଯେକୌଣସି ମୂଲ୍ୟରେ ସୁରକ୍ଷା ଦେବେ। ହାଲ୍ କୌଣସି ବିଜେପି ସରକାରର ଅବଦାନ ନୁହେଁ। ବୈଷୟିକ ମାନବ ସମ୍ବଳ ଉପଲବ୍ଧ ଥିବାରୁ ନେହେରୁ ଏହାକୁ ବେଙ୍ଗାଲୁରୁରେ ସ୍ଥାପନ କରିଥିଲେ। ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରକୁ ଦେଇଥିବା ରାଜନୈତିକ ଅନୁରୋଧରେ ମୁଁ ହସ୍ତକ୍ଷେପ କରିବି ନାହିଁ। ଆମେ ହାଲ୍କୁ ପର୍ଯ୍ୟାପ୍ତ ଜମି ଦେଇଛୁ ଏବଂ ତୁମକୁରୁରେ ହେଲିକପ୍ଟର ୟୁନିଟ୍ ସ୍ଥାପନ ପାଇଁ ଜମି ପ୍ରଦାନ କରିଛୁ। ସେମାନେ ଆନ୍ଧ୍ରପ୍ରଦେଶରେ କିଛି ନୂଆ ସ୍ଥାପନ କରିବାକୁ ସ୍ୱାଧୀନ ବୋଲି ଶିବକୁମାର କହିଛନ୍ତି।