ବେଙ୍ଗାଲୁରୁ : କର୍ଣ୍ଣାଟକ‌ ବିଧାନସଭା ନିର୍ବାଚନ ଲଢ଼ୁଥିବା ଅଧିକାଂଶ ପ୍ରାର୍ଥୀ କୋଟିପତି। ରାଜ୍ୟରେ ସମସ୍ତ ପ୍ରମୁଖ ଦଳର ଅଧିକାଂଶ ପ୍ରାର୍ଥୀ କୋଟିପତି ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି। ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲଢ଼ୁଥିବା ମୋଟ୍‌ ୨୬୧୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୮୬ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ ୧,୦୮୭ ତଥା ୪୨ ପ୍ରତିଶତ ପ୍ରାର୍ଥୀ କୋଟିପତି। ୨୦୧୮ ନିର୍ବାଚନରେ ୮୮୩ ତଥା ୩୫ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିଲେ। ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ କଂଗ୍ରେସର ମୋଟ୍‌ ୨୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୫ ଜଣ ତଥା ୯୭ ପ୍ରତିଶତ ପ୍ରାର୍ଥୀ , ବିଜେପିର ମୋଟ୍‌ ୨୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୬ ଜଣ ତଥା ୯୬ ପ୍ରତିଶତ , ଜେଡିଏସ୍‌ର ମୋଟ୍‌ ୨୦୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୦ ଜଣ ତଥା ୮୨ ପ୍ରତିଶତ ଏବଂ ଆପ୍‌ର ୨୦୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୭ ଜଣ ତଥା‌ ୫୧ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ଥିବା ଘୋଷଣା କରିଛନ୍ତି। ସମସ୍ତ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ କୋଟିପତି ପ୍ରାର୍ଥୀ ମୁତୟନ କରିବା ବୃଦ୍ଧି କରିଛନ୍ତି।

Advertisment

ଏଡିଆର ରିପୋର୍ଟ ଅନୁଯାୟୀ ୨୦୧୮ରେ କଂଗ୍ରେସର ୯୪ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିବାବେଳେ ୨୦୨୩ରେ ଏହା ୯୭ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ୨୦୧୮ରେ ବିଜେପିର ୯୩ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିବାବେଳେ ୨୦୨୩ରେ ଏହା ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଜେଡିଏସ୍‌ର ୭୭ ପ୍ରତିଶତ ପ୍ରାର୍ଥୀ ୨୦୧୮ରେ କୋଟିପତି ଥିବାବେଳେ ୨୦୨୩ରେ ଏହାର କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ରେ ଆପ୍‌ର କୋଟିପତି ପ୍ରାର୍ଥୀ ୩୩ ପ୍ରତିଶତ ଥିବାବେଳେ ୨୦୨୩ରେ ଏହାର କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ‌ସେହିପରି ଆଇଏନ୍‌ଡିର ‌କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ଗତ ୫ ବର୍ଷ ମଧ୍ୟରେ ୧୮ ପ୍ରତିଶତରୁ ୨୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି କଂଗ୍ରେସର ୟୁସୁଫ ସରିଫ୍‌। ତ‌ାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୬୩୩ କୋଟି। ବିଜେପି ନେତା ଏନ୍‌ ନାଗରାଜୁଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୧୬୦୯ କୋଟି ଏବଂ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ସମ୍ପତ୍ତିର ମୂଲ୍ୟ ୧୪୧୩ କୋଟି। ଚଳିତ ନିର୍ବାଚନରେ ପ୍ରତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୧୨.୨୬ କୋଟି। ୨୦୧୮ରେ ଏହା ୭.୫ କୋଟି ଥିଲା। ୧୪ ଜଣ ପ୍ରାର୍ଥୀ ସେମାନଙ୍କର କୌଣସି ସମ୍ପତ୍ତି ନଥିବା ଘୋଷଣା କରିଛନ୍ତି।

ଚଳିତ ନିର୍ବାଚନରେ ୨୨ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ୫୮୧ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୪୦୪ ଜଣ ପ୍ରାର୍ଥୀ ତଥା ୧୬ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ୨୦୧୮ରେ ଏହା ମାତ୍ର ୧୦ ପ୍ରତିଶତ ଥିଲା। ରିପୋର୍ଟ ଅନୁଯାୟୀ ୫୫ ପ୍ରତିଶତ କଂଗ୍ରେସ ପ୍ରାର୍ଥୀ, ୪୩ ପ୍ରତିଶତ ବିଜେପି ପ୍ରାର୍ଥୀ, ଜେଡିଏସ୍‌ର ୩୪ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଉଲ୍ଲେଯୋଗ୍ୟ, ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ୧୦ ତାରିଖରେ ନିର୍ବାଚନ ହେବ ଏବଂ ୧୩ ତାରିଖରେ ଫଳାଫଳ ଆସିବ।