ହିଜାବ ପରେ କର୍ଣ୍ଣାଟକରେ ତେଜୁଛି ଆଉ ଏକ ବିବାଦ : ମନ୍ଦିର ମେଳାକୁ ମୁସଲିମ ବ୍ୟବସାୟୀଙ୍କୁ ନାଁ

ବେଙ୍ଗାଲୁରୁ : ହିଜାବ ବିବାଦ ପରେ କର୍ଣ୍ଣାଟକରେ ଆଉ ଏକ ବିବାଦ ତେଜିବାରେ ଲାଗିଛି । ତାହା ହେଉଛି ହିନ୍ଦୁ ମନ୍ଦିର ମେଳା ଗୁଡ଼ିକରେ ଦୋକାନ ଖୋଲିବାକୁ ମୁସଲିମ ବ୍ୟବସାୟୀମାନଙ୍କୁ ନିଷେଧ କରିବା । ପ୍ରଥମେ ଉଡୁପୀରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ରାଜ୍ୟର ଅନ୍ୟ ଜିଲ୍ଲାକୁ ବ୍ୟାପିଲାଣି ।

ଉଡୁପୀ ଜିଲ୍ଲାର କାପୁ ଟାଉନରେ ଥିବା ମା’ ଗୁଡି ମନ୍ଦିରରେ ମାର୍ଚ୍ଚ ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ମେଳାରେ ଏବର୍ଷ କୌଣସି ମୁସଲିମ ବ୍ୟବସାୟୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନଥିଲା । କେତେକ ହିନ୍ଦୁ ସଂଗଠନଙ୍କ ଚାପରେ ପଡ଼ି ମନ୍ଦିର କମିଟି ଏହି ନିଷେଧାଜ୍ଞା ଲଗାଇଥିଲା ।

ଉଡୁପୀ ପରେ ଏହି ବିବାଦ ଏବେ କର୍ଣ୍ଣାଟକର ଆଉ କେତେକ ଜିଲ୍ଲା ଯେପରି ଚିକାମାଗାଲୁର, ହାସାନ,ତୁମାକାରୁ ଓ ଶିବମୋଗାରେ ପହଞ୍ଚିସାରିଲାଣି । ଐତିହାସିକ ଚେନ୍ନାକେଶବ ମନ୍ଦିର, ଟୁମକୁରୁର ସିଦ୍ଧଲିଙ୍ଗେଶ୍ବର ମନ୍ଦିର ଓ ଶିବମୋଗାର ମହାଗଣପତି ମନ୍ଦିରରେ ବି ଏହି ନିଷେଧାଜ୍ଞା ଲଗାଇବାକୁ ଦାବି ହେଉଛି ।

ହିନ୍ଦୁ ସଂଗଠନଗୁଡ଼ିକର ଏପରି ଉଦ୍ୟମକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସିଦ୍ଧରାମାୟା । କର୍ଣ୍ଣାଟକରେ ଘୃଣା ରାଜନୀତି ପାଇଁ କୌଣସି ସ୍ଥାନ ନାହିଁ । ରାଜ୍ୟରେ କେବଳ ଭାଇଚାରାର ରାଜନୀତି ଚାଲିବ ବୋଲି ସେ କହିଛନ୍ତି । ରାଜ୍ୟରେ ବିଜେପି ସାଂପ୍ରଦାୟିକ ଧ୍ରୁବିକରଣ କରୁଛି । ହିଜାବ ବିବାଦ, ଚର୍ଚ୍ଚ ଉପରେ ଆକ୍ରମଣ ଏହି ଯୋଜନାର ଅଂଶବିଶେଷ ବୋଲି ସେ କହିଛନ୍ତି ।

 

 

ସମ୍ବନ୍ଧିତ ଖବର