କରୋନା ସଂକ୍ରମଣ ଭୟରେ ଏହି ୫ଟି ରାଜ୍ୟରୁ ସବୁ ପ୍ରକାରର ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଲା କର୍ଣ୍ଣାଟକ
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ପୁଣି ଥରେ ପଡୋଶୀ ରାଜ୍ୟର ପରିବହନକୁ ସ୍ଥଗିତ ରଖିଛନ୍ତି। ଏଥର ଏହି ତାଲିକାରେ ପାଞ୍ଚଟି ରାଜ୍ୟ ରହିଛି। ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ କୌଣସି ବିମାନ, ଟ୍ରେନ୍ କିମ୍ବା ଅନ୍ୟାନ୍ୟ ଯାନକୁ ରାଜ୍ୟକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି | ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡୁରେ ଭାରତରେ ସର୍ବାଧିକ କରୋନାଭାଇରସ୍ ମାମଲା ରିପୋର୍ଟ ହୋଇଥିବା ବେଳେ ସଂକ୍ରମଣ ଭୟରେ କର୍ଣ୍ଣାଟକ ସରକାର ଏଭଳି ନିଷ୍ପତି ନେଇଛନ୍ତି | ତାଲିକାରେ ଥିବା ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କର୍ଣ୍ଣାଟକରେ ସଂକ୍ରମଣ ବଢୁଥିବା ଜାଣି ସରକାର ସବୁ ପ୍ରକାରର ପରିବହନକୁ ସ୍ଥଗିତ ରଖିଛନ୍ତି |
ରାଜ୍ୟ ଆଇନ ମନ୍ତ୍ରୀ ଜେସି ମଧୁ ସ୍ୱାମୀଙ୍କ କହିବା ମୁତାବକ, ପ୍ରାୟ ୧୦-୧୫ଦିନ ଯାଏ ଏହି ନିୟମ ଲାଗୁ ହେବ | ଆମ ପାଖରେ ଏବେ ସଙ୍ଗରୋଧ କେନ୍ଦ୍ରର ଅଭାବ ରହିଥିବା ବେଳେ ପୂର୍ବରୁ ଆସିଥିବା ଲୋକଙ୍କୁ ଏବେ ବି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି | ଦୁଇ ଦୁଇ ଥର ପରୀକ୍ଷା ପରେ ସେମାନଙ୍କୁ ଛଡା ଯାଉଛି | ଏ ନେଇ ଅଧିକ ସମୟ ଲାଗୁଥିବାରୁ ଏବେ ଆହୁରି ଲୋକଙ୍କୁ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖିବା ସମ୍ଭବ ନୁହେଁ | ତେଣୁ ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକମାନେ ସଙ୍ଗରୋଧରୁ ବାହାରକୁ ନଆସିବା ପର୍ଯ୍ୟନ୍ତ ଆମେ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଉଛୁ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା ୨,୪୧୮ଟି କରୋନାଭାଇରସ୍ ରୋଗୀ ରହିଛନ୍ତି | ସେମାନଙ୍କ ମଧ୍ୟରୁ ୭୮୨ ରୋଗୀ ସୁସ୍ଥ ହୋଇଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ରେ କର୍ଣ୍ଣାଟକ ସରକାର ନିଜ ରାଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲ୍ନାଡୁରୁ ଲୋକଙ୍କୁ ନିଜ ରାଜ୍ୟକୁ ପ୍ରବେଶ ନିଷେଧ ଘୋଷଣା କରିଥିଲେ। ଏହି ୩ ରାଜ୍ୟରେ ବିପୁଳ ପରିମାଣର ଲୋକ କରୋନା ଦ୍ବାରା ଆକ୍ରାନ୍ତ ହେଉଥିବାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜ୍ୟ ସରକାର ଏହି ନିୟମ ଜାରି କରିଥିଲେ। ଏବେ ଏହି ସୂଚୀରେ ମଧ୍ୟପ୍ରଦେଶ ଓ ରାଜସ୍ଥାନକୁ ସାମିଲ କରାଯାଇଛି | ଏହି ଦୁଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ରାଜ୍ୟ ସରକାର ସବୁ ପ୍ରକାରର ଯାତାୟାତ ଉପରେ ରୋକ ଲଗାଇଛନ୍ତି |