ଲାଞ୍ଚ ମାମଲାରେ କର୍ଣ୍ଣାଟକ ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ସୋପ୍ସ ଆଣ୍ଡ ଡିଟରଜେଣ୍ଟସ୍‌ ଲିମିଟେଡ (କେଏସଡିଏଲ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କୁ ଲାଞ୍ଚ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶନାମା ବଳରେ ଗିରଫ କରାଯାଇଛି।

ବିଜେପି ବିଧାୟକ ବିରୁପାକ୍ଷପ୍ପାଙ୍କ ବିରୋଧରେ ତାଙ୍କ ପୁଅ ପ୍ରଶାନ୍ତ ମଦାଲଙ୍କ ଜରିଆରେ ଲାଞ୍ଚ ମାଗିବା ଅଭିଯୋଗ ହୋଇଥିଲା।

କର୍ଣ୍ଣାଟକ ସୋପ୍ସ ଆଣ୍ଡ ଡିଟରଜେଣ୍ଟସ୍‌ ଲିମିଟେଡ (କେଏସଡିଏଲ) ସହ ଜଡିତ ଲାଞ୍ଚ ମାମଲାରେ ବିରୁପାକ୍ଷପ୍ପାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ସୋମବାର ଖାରଜ କରିବା ପରେ ଏହି ଗିରଫଦାରୀ ହୋଇଛି।
ଲୋକାୟୁକ୍ତଙ୍କ କହିବା ଅନୁଯାୟୀ, ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପା ବିଲ୍‌ ପାସ୍‌ କରିବା ପାଇଁ ୮୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଏଥିରୁ ୪୦ ଲକ୍ଷ ଟଙ୍କା ନେଉଥିବା ବେଳେ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମାଦଲ ତାଙ୍କ କାର୍ଯ୍ୟାଳୟରେ ଧରାପଡ଼ିଥିଲେ। ପରେ ବିରୁପାକ୍ଷପ୍ପାଙ୍କ ଘରେ ଚଢ଼ାଉ କରାଯାଇ ନଗଦ ୭ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା।

ଏହି ମାମଲାରେ ପ୍ରଶାନ୍ତ ମାଦଲଙ୍କୁ ମାର୍ଚ୍ଚ ୨ରେ ଗିରଫ କରାଯାଇଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତ ମାଦଲ ବିରୁପାକ୍ଷପ୍ପା କର୍ଣ୍ଣାଟକ ହାଇକୋର୍ଟରୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଅନ୍ତରୀଣ ଆଗୁଆ ଜାମିନ ହାସଲ କରିଥିଲେ, ଯାହା ତାଙ୍କୁ ଗିରଫଦାରୀରୁ ବର୍ତ୍ତି ଯିବାରେ ସାହାଯ୍ୟ କରିଥିଲା।

ସମ୍ବନ୍ଧିତ ଖବର