ବେଙ୍ଗାଲୁରୁ: ‌‘ଲୋକାୟୁକ୍ତ’ର ଦୁର୍ନୀତି ନିରୋଧୀ ଶାଖା ବାସଭବନରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି କର୍ଣ୍ଣାଟକ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପା ‘ମୈସୋର୍‌ ସାଣ୍ଡାଲ୍‌ ସାବୁନ୍‌’ର ନିର୍ମାତା ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ଦବନାଗ‌େରେ ଜିଲ୍ଲା ଅନ୍ତର୍ଗତ ଚନ୍ନାଗିରିର ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପା ରାଷ୍ଟ୍ରାୟତ ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ ମଣ୍ଡଳ ହେଉଛନ୍ତି ‘ବାଙ୍ଗାଲୋର୍‌ ୱାଟର୍‌ ସପ୍ଲାଏ ଆଣ୍ଡ୍‌ ସ୍ବିରେଜ୍‌ ବୋର୍ଡ’ର (ବିଡବ୍ଲୁଏସ୍‌ଏସ୍‌ବି) ମୁଖ୍ୟ ଆକାଉଣ୍ଟସ୍‌ ଅଧିକାରୀ।

ପଠାଇଥିବା ଇସ୍ତଫା ପତ୍ରରେ ମଣ୍ଡଳ ବିରୁପାକ୍ଷପ୍ପା ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ‘ଲୋକାୟୁକ୍ତ’ ଚଢ଼ଉ ସହିତ ମୋର କୌଣସି ସମ୍ପୃକ୍ତି ନାହିଁ। ଏହା ମୋ ପରିବାର ଓ ମୋ ବିରୋଧରେ ଗୋଟାଏ ଷଡ଼ଯନ୍ତ୍ର।

publive-image Image Courtesy of NDTV

ସୂଚନାଯୋଗ୍ୟ, ଗୁରୁବାର ଦିନ ଅଫିସ୍‌ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ‘ବିଜେପି’ ବିଧାୟକଙ୍କ ପୁଅ ତଥା ‘ବାଙ୍ଗାଲୋର୍‌ ୱାଟର୍‌ ସପ୍ଲାଏ ଆଣ୍ଡ୍‌ ସ୍ବିରେଜ୍‌ ବୋର୍ଡ’ର (ବିଡବ୍ଲୁଏସ୍‌ଏସ୍‌ବି) ମୁଖ୍ୟ ଆକାଉଣ୍ଟସ୍‌ ଅଧିକାରୀ ପ୍ରଶାନ୍ତ ମଣ୍ଡଳ ଧରାପଡ଼ିଥିଲେ। ଏହା ପରେ ‘ଲୋକାୟୁକ୍ତ’ ତାଙ୍କ ବାସଭବନ ଓ ଅଫିସରେ ତଲାସ କରିଥିଲା।

‘ଲୋକାୟୁକ୍ତ’ ଅଧିକାରୀମାନଙ୍କ କହିବା ଅନୁସାରେ, ପ୍ରଶାନ୍ତ ଲାଞ୍ଚ ମାଗୁଛନ୍ତି ବୋଲି ଗୁରୁବାର ସକାଳେ ଜଣେ ବ୍ୟକ୍ତି ଅଭିଯୋଗ ପଞ୍ଜିକୃତ କରାଇଥିଲେ। ସେହି ଅନୁସାରେ, ପୂର୍ବରୁ ପ୍ରସ୍ତୁତ ହୋଇଥିବା ‘ଲୋକାୟୁକ୍ତ’ ଅଧିକାରୀମାନେ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବ‌େଳେ ପ୍ରଶାନ୍ତଙ୍କୁ ଧରିଥିଲେ।

‘ବିଜେପି’ ବିଧାୟକଙ୍କ ବାସଭବନରୁ ‘ଲୋକାୟୁକ୍ତ’ ନଗଦ ୬୦୦ କୋଟି ଟଙ୍କା ପାଇଥିଲେ। ଏ ସଂକ୍ରାନ୍ତରେ ପଚରା ଉଚରା ପାଇଁ ‘ଲୋକାୟୁକ୍ତ’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କୁ ଡକାଇ ପାରେ।