ରାହୁଲ ଗାନ୍ଧୀଙ୍କୁ ଡ୍ରଗ୍ସ ସହ ତୁଳନା କରି ଅଡୁଆରେ ପଡିଲେ କର୍ଣ୍ଣାଟକ ବିଜେପି ସଭାପତି

ବାଙ୍ଗାଲୋର: କର୍ଣ୍ଣାଟକ ବିଜେପି ସଭାପତି ନଲିନ୍ କୁମାରଙ୍କ ଏକ ବୟାନକୁ ନେଇ ଏବେ ବିବାଦ ଦେଖାଦେଇଛି | ମଙ୍ଗଳବାର ଦିନ ନଲିନ୍ କୁମାର କହିଛନ୍ତି ଯେ ‘ରାହୁଲ ଗାନ୍ଧୀ କିଏ? ମୁଁ ଏହା କହୁ ନାହିଁ ଯେ ରାହୁଲ ଗାନ୍ଧୀ ଡ୍ରଗ୍ସ ନିଅନ୍ତି ଓ ଡ୍ରଗ୍ସ ବେପାର ମଧ୍ୟ କରନ୍ତି । ଏହା ଗଣମାଧ୍ୟମରେ ଆସିଥିଲା ​’ | କର୍ଣ୍ଣାଟକ ବିଜେପି ରାଜ୍ୟ ସଭାପତିଙ୍କ ଏହି ପ୍ରତିକ୍ରିୟା କର୍ଣ୍ଣାଟକ କଂଗ୍ରେସ ଦେଇଥିବା ଏକ ଟ୍ୱିଟ ପରେ ଆସିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶିକ୍ଷିତ ବୋଲି କୁହାଯାଇଥିଲା। ଏହି ଟ୍ୱିଟ କନ୍ନଡ ଭାଷାରେ କରାଯାଇଥିଲା |

ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ହୋଇଥିଲା | ତେବେ ପରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଘୋଷଣା କରିଥିଲେ ଯେ ମୋଦୀଙ୍କ ବିଷୟରେ ଏହି ବିବାଦୀୟ ଟ୍ୱିଟକୁ ଦଳର ସୋସିଆଲ ମିଡିଆ ଟିମ ଟ୍ୱିଟର ହ୍ୟାଣ୍ଡେଲରୁ ହଟାଇ ଦେଇଛନ୍ତି। ଡି.କେ ଶିବକୁମାର ଏହା ମଧ୍ୟ କହିଛନ୍ତି ଯେ ଏହା ଜଣେ ନବାଗତଙ୍କ ଭୁଲ ଥିଲା। ଏହି ଟ୍ୱିଟ ସମ୍ପର୍କରେ ଡି.କେ ଶିବକୁମାର ଲେଖିଛନ୍ତି, ‘ମୁଁ ସର୍ବଦା ବିଶ୍ୱାସ କରେ ଯେ ରାଜନୈତିକ ଆଲୋଚନାରେ ସଂସଦୀୟ ଭାଷା ରହିବା ଗୁରୁତ୍ୱପୂର୍ଣ୍ଣ।

କର୍ଣ୍ଣାଟକ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଜଣେ ନବାଗତ ସୋସିଆଲ ମିଡିଆ ମ୍ୟାନେଜରଙ୍କ ଏହି ଅଶାଳୀନ ଟ୍ୱିଟ୍ ଦୁଃଖଦାୟକ ଏବଂ ଏହାକୁ ହଟାଇ ଦିଆଯାଇଛି’। ନଲିନ୍ କୁମାରଙ୍କ ଏହି ବିବୃତ୍ତି ପରେ ଡି.କେ ଶିବକୁମାର ପୁଣି ଥରେ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଶା କରୁଛି ବିଜେପି ମଧ୍ୟ ମୋ ସହିତ ଏହାକୁ ଗ୍ରହଣ କରିବ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଏହାର ରାଜ୍ୟ ସଭାପତିଙ୍କ ବିବୃତ୍ତି ପାଇଁ ନିଶ୍ଚିତ ଭାବେ କ୍ଷମା ପ୍ରାର୍ଥନା କରିବ’ |

ସମ୍ବନ୍ଧିତ ଖବର