ଭିନ୍ନ ଏକ ମୋଗଲି

ମାଙ୍କଡ଼ ଗହଣରେ ଖେଳୁଛି ଦୁଇ ବର୍ଷର ବାଳକ

ଧରଓ୍ଵାଡ଼(କର୍ଣ୍ଣାଟକ) : ବୟସ ମାତ୍ର ଦୁଇ ବର୍ଷରୁ କମ୍‌ ବି ହେବ। ଠିକ୍‌ରେ କଥାବାର୍ତ୍ତା କରିପାରୁନି। ତଥାପି ପଞ୍ଝାଏ ହନୁମାଙ୍କଡ଼ ସହ ତା’ର ବିରଳ ବନ୍ଧୁତାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁଲୁ ଠାରୁ ୪୦୦ କିମି ଦୂର ଧରଓ୍ଵାଡ଼ ଜିଲ୍ଲା ଅନ୍ତର୍ଗତ ଅଲ୍ଲାରପୁରରେ ସମର୍ଥ ବଙ୍ଗାରି ନାମକ ଏହି ଶିଶୁଟିକୁ ଦେଖିବା ଲାଗି ଏବେ ଗାଁରେ ଭୀଷଣ ଭିଡ଼। ଭିନ୍ନ ଏକ ମୋଗ୍‌ଲିକୁ ଗ୍ରାମବାସୀ ପାଖରେ ପାଇଛନ୍ତି ବୋଲି ଆଗନ୍ତୁକମାନଙ୍କୁ କହି ଗର୍ବରେ ଫାଟିପଡୁଛନ୍ତି। କେହି କେହି ମଧ୍ୟ ତା’କୁ ଠାକୁରଙ୍କ ଅବତାର ବୋଲି କହୁଛନ୍ତି।

ଦିନେ ସମର୍ଥ ଏକୁଟିଆ ଘରେ ଥିବା ବେଳେ ତା’ର ଏହି ଅନନ୍ୟ କରାମତି ଜଣାପଡ଼ିଥିଲା। ଦି’ଡଜନରୁ ଅଧିକ ହନୁମାଙ୍କ଼ଡ଼ ଗହଣରେ ନିର୍ଭୟରେ ସେ ଖେଳୁଥିବା ଦୃଶ୍ୟ ପରିବାର ଲୋକଙ୍କୁ ପ୍ରଥମେ ବିବ୍ରତ କରିଦେଇଥିଲା। କୁନି ପିଲାଟିକୁ ବଣୁଆ ମାଙ୍କଡ଼ମାନେ କାଳେ ଅତର୍କିତ ଆକ୍ରମଣ କରିପକାଇବେ, ସେ ଆଶଙ୍କା ମଧ୍ୟ ଗ୍ରାମବାସୀଙ୍କୁ ଘାରିଥିଲା। ମାତ୍ର ସମର୍ଥ ପ୍ରତି ମାଙ୍କଡ଼ଙ୍କ ସ୍ନେହପୂର୍ଣ୍ଣ ବ୍ୟବହାର ହିଁ ସମସ୍ତଙ୍କୁ ମୁଗ୍ଧ କରିଥିଲା। ମାଙ୍କଡ଼ମାନେ ଶିଶୁଟିର ଉପସ୍ଥିତିରେ ବେଶ ଆରାମରେ ଚଳପ୍ରଚଳ କରିବା ସହ ତା’ ପାଖରେ ବସିବାକୁ ପସନ୍ଦ କରିବାକୁ ଲାଗିଲେ। ସମର୍ଥ ମଧ୍ୟ ଖାଉଥିବା ଖାଦ୍ୟରୁ କିଛି କିଛି ସେମାନଙ୍କୁ ଦେଇ ଆପ୍ୟାୟିତ କରିବାକୁ ଲାଗିଲା। ଏମିତି ପ୍ରତ୍ୟହ ଏହି ବଣୁଆ ଅତିଥିମାନେ ସମର୍ଥ ଘରକୁ ଆସିବାକୁ ଲାଗିଲେ। ସେ ଶୋଇଥିଲେ, ତା’କୁ ସେମାନେ ଧୀରେ ଉଠାଇ ପାଖରେ ଘଣ୍ଟେ କି ଦୁଇ ଘଣ୍ଟା କାଳ ବସି ଖେଳରେ ମାତିଯାଆନ୍ତି। ଏ କଥା ପ୍ରଘଟ ହେବା ପରେ ଗାଁକୁ ଆଗନ୍ତୁକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଏବେ ସୁଦ୍ଧା ପ୍ରତ୍ୟହ ଅତି କମ୍‌ରେ ୨୦ଟି ମାଙ୍କଡ଼ ସମର୍ଥ ପାଖରେ କିଛି ସମୟ କଟାଇ ଫେରୁଛନ୍ତି।

ଅପରପକ୍ଷେ, ସେହି ମାଙ୍କଡ଼ମାନେ କାଳେ ଶିଶୁମାନଙ୍କୁ ଶ୍ରଦ୍ଧା କରୁଥିବେ ଭାବି ଗ୍ରାମବାସୀ ଆଉ ଜଣେ ଶିଶୁକୁ ସମର୍ଥ ପାଖରେ ବସାଇଥିଲେ। ମାତ୍ର ନୂତନ ଶିଶୁ ପ୍ରତି ମାଙ୍କଡ଼ମାନଙ୍କର ବିରୋଧାଭାସ ଗ୍ରାମବାସୀଙ୍କୁ ଭିନ୍ନ କିଛି ଭାବିବାକୁ ବାଧ୍ୟ କରିଥିଲା। ସମସ୍ତଙ୍କର ଏବେ ଧାରଣା, ସମର୍ଥ କୌଣସି ଐଶ୍ୱରିିକ ଶକ୍ତି ନେଇ ଜନ୍ମ ନେଇଛି, ଯାହା କି ସଂପୃକ୍ତ ମାଙ୍କଡ଼ମାନଙ୍କୁ ଆକର୍ଷିତ କରୁଛି। ଏବେ ଦୁଇ ବର୍ଷର ବାଳୁତ ସମର୍ଥ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ନିଆରା ଆନନ୍ଦ ଯୋଗାଉଛି।

ସମ୍ବନ୍ଧିତ ଖବର