ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। କିନ୍ତୁ ତାଙ୍କ ବଜେଟକୁ ବିରୋଧୀ କଂଗ୍ରେସ ଦଳର ବିଧାୟକମାନେ ବିରୋଧ କରିବା ସହ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ବିରୋଧୀ ଦଳ ନେତା ସିଦ୍ଧରମେୟା, କେପିସିସି ସଭାପତି ଡିକେ ଶିବକୁମାରଙ୍କ ସମେତ ଅନ୍ୟ ବିଧାୟକମାନେ କାନରେ ଗେଣ୍ଡୁଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫୁଲ ରଖିଥିଲେ। କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ବିଜେପି ସରକାର ୨୦୧୮ ମସିହାର ନିର୍ବାଚନୀ ଇସ୍ତାହାର ସମେତ ପୂର୍ବ ବଜେଟରେ ଘୋଷଣା କରିଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ ନକରି ଲୋକଙ୍କୁ ଠକିଛି।
କର୍ଣ୍ଣାଟକରେ ଏକ ଢଗ ରହିଛି। ସେହି ଢଗ ଅନୁସାରେ ଯଦି ଯଦି ଜଣେ ବ୍ୟକ୍ତି ଅନ୍ୟକୁ ଠକୁଥାଏ ତାହେଲେ ସେ ତାଙ୍କ କାନରେ ଫୁଲ ରଖି ଠକେଇ ବନ୍ଦ କର ବୋଲି ବାର୍ତ୍ତା ଦେବେ। ସେହି ଅନୁସାରେ କଂଗ୍ରେସ ବିଧାୟକମାନେ ବିଧାନସଭା ଭିତରକୁ ଆଜି କାନରେ ଫୁଲ ରଖି ଆସିଥିଲେ। ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ସମୟରେ ବିରୋଧୀ କଂଗ୍ରେସ ବିଧାୟକମାନେ ପାଟିତୁଣ୍ଡ ଜାରି ରଖିଥିଲେ। ବାଚସ୍ପତି ସେମାନଙ୍କୁ ଶାନ୍ତ ରହିବାକୁ କହିଥିଲେ ମଧ୍ୟ ବିଧାୟକମାନେ ତାହା ଶୁଣି ନଥିଲେ। ରାମନଗରଠାରେ ରାମ ମନ୍ଦିର ନିର୍ମାଣ ପ୍ରସ୍ତାବ ବଜେଟରେ ରହିଛି।