କର୍ଣ୍ଣାଟକ ଉପନିର୍ବାଚନ : ୧୫ଟି ଆସନ ନିର୍ଦ୍ଧାରଣ କରିବ ୟେଦ୍ୟୁରାପ୍ପା ସରକାରର ଭବିଷ୍ୟତ

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଇଛି । ଅନ୍ୟ କୌଣସି ଉପନିର୍ବାଚନ ତୁଳନାରେ ଏହି ଉପନିର୍ବାଚନର ଗୁରୁତ୍ୱ ବେଶ ଅଧିକ କାରଣ ଏହାର ଫଳାଫଳ ଉପରେ କର୍ଣ୍ଣାଟକରେ ଶାସନ କରୁଥିବା ବିଜେପି ସରକାରର ଭବିଷ୍ୟତ ନିର୍ଭର କରୁଛି । ଏହି ୧୫ଟି ଆସନରୁ ବିଜେପିକୁ ଅତି କମରେ ୭ଟି ଜିତିବାକୁ ପଡିବ, ନୋଚେତ ସରକାର ଭାଙ୍ଗିବା ନିଶ୍ଚିତ ।
ଏସବୁ ଆସନର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ-ଜେଡିଏସର ବିଧାୟକମାନେ ଅଯୋଗ୍ୟ ଘୋଷିତ ହେବା ପରେ ଏସବୁ ଆସନ ଖାଲି ରହିଛି । ଏବେ କର୍ଣ୍ଣାଟକରେ ମୋଟ ୧୭ ଟି ଆସନ ଖାଲିରହିଥିବାବେଳେ ୧୫ଟି ପାଇଁ ଉପ-ନିର୍ବାଚନ ହେଉଛି । ଆଇନଗତ ମାମଲା ଯୋଗୁଁ ଆଉ ୨ଟି ଆସନ ମାସକି ଓ ଆରଆର ନଗର ଉପନିର୍ବାଚନ ପରେ କରାଯିବ ।

ଏହି ୧୫ଟି ଆସନର ଫଳାଫଳ ଉପରେ ହିଁ ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରିବ । ଏବେ ବିଧାନସଭାରେ ୨୦୮ ସଦସ୍ୟ ରହିଛନ୍ତି ଓ ବିଜେପିର ୧୦୫ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୧୦୭ ସଦସ୍ୟଙ୍କ ସମର୍ଥନ ୟେଦ୍ୟୁରପ୍ପାଙ୍କ ପ୍ରତି ରହିଛି । କିନ୍ତୁ ଏହି ୧୫ଟି ଆସନର ଫଳାଫଳ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୩କୁ ବୃଦ୍ଧି ପାଇବ ଓ ସରକାର ବଜାୟ ରଖିବାକୁ ବିଜେପିକୁ ୧୧୨ଟି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ । ଏଣୁ ବିଧାନସଭାରେ ବିଜେପିକୁ ୭ଟି ଆସନ ଜିତିବାକୁ ହେବ ।

ସମ୍ବନ୍ଧିତ ଖବର