ଶନିବାର ଦିନ କର୍ଣ୍ଣାଟକ କ୍ୟାବିନେଟ୍‌ ସମ୍ପ୍ରସାରଣ; ସିଦ୍ଦରମେୟାଙ୍କ କ୍ୟାବିନେଟ୍‌ରେ ଯୋଗ ଦେଇପାରନ୍ତି ଆଉ ୨୪ଜଣ ମନ୍ତ୍ରୀ

ନୂଆଦିଲ୍ଲୀ: ଶନିବାର ଦିନ ସମ୍ପ୍ରସାରିତ ହେବାକୁ ଥିବା ସିଦ୍ଦରମେୟାଙ୍କ ନେତୃତ୍ବାଧୀନ କର୍ଣ୍ଣାଟକ କ୍ୟାବିନେଟ୍‌ରେ ଅନ୍ୟୂନ ୨୦ରୁ ୨୪ଜଣ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି ବୋଲି ଗରୁବାର ଦିନ କଂଗ୍ରେସ ପାର୍ଟିସୂତ୍ରରୁ ଜଣାପଡ଼ିଛି।

କ୍ୟାବିନେଟ୍‌ ସମ୍ପ୍ରସାରଣ ନିମନ୍ତେ ଆଲୋଚନା କରିବା ଲାଗି ଗୁରୁବାର ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଦଳର ସାଧାରଣ ସଚିବ କେ. ସି. ବେଣୁଗୋପାଳ ଏବଂ ରଣଦୀପ ସିଂହ ସୂର୍ଯ୍ୟେୱାଲାଙ୍କୁ ଭେଟିଥିଲେ।

୪ ‌ନେତାଙ୍କ ମଧ୍ୟରେ ୩ଟି ଅଧିବେଶନରେ ଏହି ବୈଠକ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ଏହି ବୈଠକରେ ମନ୍ତ୍ରୀପଦ ନିମନ୍ତେ କେତେକ ବିଧାୟକଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିବା କଥା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ଶନିବାର ପୂର୍ବାହ୍ନ ପ୍ରାୟ ୧୧.୩୦ରେ ଆଉ ୨୦ରୁ ୨୪ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି ବୋଲି ସୂତ୍ର ସୂଚନା ଦେଇଛି। କିନ୍ତୁ, ଏ ସଂକ୍ରାନ୍ତରେ ଦଳର ବରିଷ୍ଠ ନେତାମାନେ କ‌ୌଣସି ବିବୃତି ବା ସୂଚନା ଦେଇନାହାନ୍ତି।

Image Courtesy of Zee News

ଦଳ ସୂତ୍ରରୁ ପ୍ରକାଶ କି, ସମ୍ଭାବ୍ୟ ମନ୍ତ୍ରୀ ହେବାକୁ ଥିବା ୨୦ରୁ ୨୪ଜଣଙ୍କ ବିଷୟରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ନାମ ତାଲିକା ପଠାଯାଇଛି। ଦିଲ୍ଲୀରୁ ପ୍ରସ୍ଥାନ କରିବା ପୂର୍ବରୁ ଦୁଇ ନେତା ରାହୁଲ୍‌ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ।

ସ୍ମରଣଯୋଗ୍ୟ, ମେ ୨୦ ତାରିଖ ଦିନ ସିଦ୍ଦରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାର ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ସହିତ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁତ୍ର ପ୍ରିୟାଙ୍କ ଖଡ଼ଗେଙ୍କ ସମେତ ୮ଜଣ ବିଧାୟକ ମନ୍ତ୍ରୀପଦ ନିମନ୍ତେ ଶପଥ ଗ୍ରହଣ କରିଥିଲେ।

କିନ୍ତୁ, କ୍ୟାବିନେଟ୍‌ ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବା ଉକ୍ତ ବିଧାୟକମାନଙ୍କୁ ଏପର୍ଯ୍ୟନ୍ତ ବିଭାଗ ଆବଣ୍ଟନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର