ବେଙ୍ଗାଲୁରୁ : କର୍ଣ୍ଣାଟକ କ୍ୟାଡରର ୧୯୯୯ବ୍ୟାଚ୍ ଆଇପିଏସ୍ ଅଧିକାରୀ ମଧୁକର ଆର୍ ସେଟ୍ଟୀଙ୍କର ହାଇଦ୍ରାବାଦ୍ରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ଦେହାନ୍ତ ହୋଇଛି । ଶୁକ୍ରବାର ରାତିରେ ସେ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ସେ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି । ନିଜର କାର୍ଯ୍ୟଦକ୍ଷତା ଏବଂ ସଚ୍ଚୋଟପଣିଆ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧୁକର। କର୍ଣ୍ଣାଟକର ଉଡ୍ଡୁପିର ବାସିନ୍ଦା ମଧୁକର ଜେଏନ୍ୟୁରେ ଉଚ୍ଚଶିକ୍ଷା ହାସଲ କରିଥିଲେ । ମଧୁକର ଆର୍ ସେଟ୍ଟୀ ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ଲୋକମାନଙ୍କୁ ଠିକ୍ ବାଟ ଦେଖାଇଥିଲେ ଏବଂ ଦୁର୍ନୀତି ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଇସ୍ତଫା ପଛରେ ତାଙ୍କର ତଦନ୍ତ ଥିଲା ଅନ୍ୟ ଏକ କାରଣ।
/sambad/media/post_attachments/wp-content/uploads/2018/12/madhukarrshetty-1546069479-300x225.jpg)
ସୂଚନା ମୁତାବକ,ଦୁଇ ବର୍ଷ ତଳେ ସେ ସର୍ଦାର୍ ବଲ୍ଲଭଭାଇ ପଟେଲ ନ୍ୟାସ୍ନାଲ ପୁଲିସ ଅକାଦେମୀରେ ଡ଼େପୁଟି ଡ଼ିରେକ୍ଟର ଭାବେ ନିଯୁକ୍ତ ପାଇଥିଲେ । ସବୁ କିଛି ଠିକ୍ ଚାଲିଥିବା ବେଳେ କିଛି ଦିନ ପୂର୍ବରୁ ସେ H1N1 ଭୂତାଣୁର ଶିକାର ହୋଇଥିଲେ । ଏହି ଭୂତାଣୁ ପ୍ରଥମେ ତାଙ୍କ ଫୁସ୍ଫୁସ୍ ଏବଂ ପରେ ତାଙ୍କ ହୃଦୟକୁ ସଂକ୍ରମିତ ହୋଇ ଯାଇଥିଲା । ଯାହା ପାଇଁ ଗୁରୁବାର ତାଙ୍କର ହୃତ୍ପିଣ୍ଡ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ସର୍ଜରୀ ପରେ ମଧ୍ୟ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଶୁକ୍ରବାର ୮.୫୦ରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।