ବେଙ୍ଗାଲୁରୁ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ ନର୍ସମାନଙ୍କ ପରିବାର ସଦସ୍ୟ ଏବେ ଘୋର ମାନସିକ ଚାପ ଦେଇ ଗତି କରୁଛନ୍ତି। କରୋନା ଚିକିତ୍ସା କରୁଥିବା ଡାକ୍ତର ଏବଂ ନର୍ସଙ୍କ ପିଲାମାନଙ୍କର ମାନସିକ ସ୍ଥିତି ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ୫ ଦିନ ଧରି ମା’କୁ ଝୁରିବା ପରେ ଏକ ୪ ବର୍ଷର ଶିଶୁ ଶେଷରେ ମା’କୁ ଦେଖିପାରିଛି। ଶିଶୁଟିର ମା’ ଏବେ କରୋନା ମୁକାବିଲା ପାଇଁ ଜଣେ ଆଗ ଧାଡ଼ିର ଯୋଦ୍ଧା ଭାବେ କାମ କରୁଛନ୍ତି। ସେଥିପାଇଁ ଶିଶୁଟି ମା’କୁ ପାଖରେ ପାଇପାରୁନି। ତେବେ ୫ ଦିନ ମା’ ପାଖରୁ ଦୂରେଇ ରହିବାପରେ ଶିଶୁଟି ମା’କୁ ଦେଖି ଖୁବ୍ ଜୋର୍ କାନ୍ଦିଥିଲା। ମା’ ତୁମେ ଘରକୁ ଚାଲିଆସ କହି ଶିଶୁଟି ଖୁବ୍ କାନ୍ଦିଥିବା ବେଳେ ମା’ ବି କୋହ ସମ୍ଭାଳି ପାରିନଥିଲେ। ସୁରକ୍ଷା ଦୃଷ୍ଟିରୁ ଏତେ ପାଖରେ ଥାଇ ବି ଶିଶୁଟି ମା’ କୋଳକୁ ଯାଇପାରି ନଥିଲା। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ନର୍ସ୍ଙ୍କୁ ଖୁବ୍ ପ୍ରଶଂସା କରାଯାଇଛି। ଉକ୍ତ ନର୍ସ୍ଙ୍କ ନାମ ସୁଗନ୍ଧା। ସେ କର୍ଣ୍ଣାଟକର ବେଲଗମ୍ ହସ୍ପିଟାଲ୍ରେ କାର୍ଯ୍ୟ କରୁଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ତାଙ୍କୁ ଘରକୁ ଯିବାପାଇଁ ଅନୁମତି ମିଳୁନି। କିନ୍ତୁ ସୁଗନ୍ଧାଙ୍କ ଝିଅ ମା’କୁ ନଦେଖି କାନ୍ଦିବାରୁ ପରିବାରର ଅନ୍ୟ ସଦସ୍ୟମାନେ ତାକୁ ଶେଷରେ ହସ୍ପିଟାଲ୍ ନେଇ ଯାଇଥିଲେ। ସେମାନେ ସୁଗନ୍ଧାଙ୍କ ନିକଟକୁ ଯାଇପାରିଲେନି। ଦୂରରେ ଥାଇ ଶିଶୁଟି ତା ମା’କୁ ଦେଖିଥିଲା। ସୁଗନ୍ଧା ହସ୍ପିଟାଲ୍ରୁ ବାହାରକୁ ବାହରିବାପରେ ଉଭୟ ମା’ ଝିଅ କାନ୍ଦି ପକାଇଥିଲେ। ଟେଲିଭିଜନରେ ଏ ବାବଦ ରିପୋର୍ଟ ଦେଖିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ନର୍ସ୍ଙ୍କ କଠିନ ପରିଶ୍ରମ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ସହ ଫୋନ୍ରେ କଥା ହୋଇ ପରିବାରର ହଲ୍ଚାଲ୍ ପଚାରିଥିଲେ।
ୟେଦୁରପ୍ପା କହିଥିଲେ- ଆପଣ ଘର ପରିବାର କଥା ଭୁଲି ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ଏଥିପାଇଁ ଆମେ ଆପଣଙ୍କଠାରେ କୃତଜ୍ଞ।ଆପଣ ଲୋକଙ୍କ ପାଇଁ ଏଭଳି ସେବା ଜାରି ରଖନ୍ତୁ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରନ୍ତୁ। ସୁଗନ୍ଧା ହସ୍ପିଟଲ ଡ୍ୟୁଟି ସରିବା ପରେ ଆହୁରି ୧୪ ଦିନ ପରେ ଘରକୁ ଫେରିବେ। କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ୧୪ ଦିନିଆ କ୍ବାରାଣ୍ଟିନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ତେଣୁ ପରିବାର ଲୋକେ ସୁଗନ୍ଧାଙ୍କୁ ଆହୁରି ୧୫ ଦିନ ପରେ ହିଁ ଘରେ ପାଇପାରିବେ।