ବେଙ୍ଗାଲୁରୁ : ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧକରି କର୍ଣ୍ଣାଟକ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (କେସିସିଆଇ) ପକ୍ଷରୁ ଗୁରୁବାର ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରାଯାଇଥିଲା। ଏଥିରେ ରାଜ୍ୟର ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂଗଠନ ଭାଗ ନେଇ ନିଜନିଜର ଅନୁଷ୍ଠାନକୁ ବନ୍ଦ ରଖିଥିଲେ। ସିପିଏମ୍ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରାଯାଇଥିଲା।
କେସିସିଆଇ ଅଧ୍ୟକ୍ଷ ବିନୟ ଜାବାଳି କହିଛନ୍ତି ଯେ, ଏହି ବନ୍ଦ ଦ୍ବାରା ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିଶ୍ଚୟ କ୍ଷତି ସହିଛନ୍ତି। କିନ୍ତୁ ରାଜ୍ୟ ସରକାର ଯେଉଁଭଳି ବିଦ୍ୟୁତ୍ ଦର ବୃଦ୍ଧି କରିଛନ୍ତି, ସେଥିରେ କୌଣସି ବି ଶିଳ୍ପ ଅନୁଷ୍ଠାନ ବଞ୍ଚିପାରିବ ନାହିଁ। ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଦ୍ୟୁତ୍ ନିୟାମକ ଆୟୋଗ ଗତ ମେ ୧୨ ତାରିଖରେ ୟୁନିଟ୍ ପିଛା ୭୦ ପଇସା ବିଦ୍ୟୁତ୍ ଦେୟ ବୃଦ୍ଧିକୁ ଅନୁମୋଦନ ଦେଇଥିଲା। କଂଗ୍ରେସ ସରକାର ଗୃହଜ୍ୟୋତି ଯୋଜନାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଦେବା ପାଇଁ କରିଥିବା ନିର୍ବାଚନୀ ଘୋଷଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ବୃଦ୍ଧି କରିଥିବା ଅଭିଯୋଗ ହୋଇଛି।