କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ଝିଅ ହେଲେ କରୋନା ଆକ୍ରାନ୍ତ

ବେଙ୍ଗଲୁରୁ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କରୋନା ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଝିଅ ମଧ୍ୟ କରୋନା ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ଦୁହିଁଙ୍କ ସ୍ବାବ ନମୁନା ନିଆଯାଇଥିବା ବେଳେ ରବିବାର ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। କରୋନା ଆକ୍ରାନ୍ତ ଥିବା ନେଇ ଜଣା ପଡ଼ିବା ପରେ ଏବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ଝିଅଙ୍କୁ ବେଙ୍ଗାଲୁରୁର ମନିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚିକିତ୍ସା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ସ୍ଥିର ରହିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ୭୭ବର୍ଷୀୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରବିବାର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ସେ ଏ ନେଇ ଟ୍ୱିଟରରେ ମଧ୍ୟ ସୂଚନା ଦେଇଥିଲେ। ଟୁଇଟରେ, “ମୁଁ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛି | ମୁଁ ଭଲ ଥିବାବେଳେ ଡାକ୍ତରଙ୍କ ସୁପାରିଶ କ୍ରମେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ନିକଟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ସେମାନେ ନିଜର ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ସଙ୍ଗରୋଧ କରନ୍ତୁ” ବୋଲି ଲେଖିଥିଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଭାରତର କୋଭିଡ -୧୯ ଦ୍ବାରା ସଂକ୍ରମିତ ହୋଇଥିବା ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର