ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିବା ସହ କର୍ଣ୍ଣାଟକର ଜେଡିଏସ୍‌- କଂଗ୍ରେସ ମେଣ୍ଟ ସରକାରର ଭବିଷ୍ୟତ ନେଇ ପୁଣି ସନ୍ଦେହ ଦେଖା ଦେଇଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ କର୍ଣ୍ଣାଟକର ବିଜୟନଗର ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ରୂପେ ନିର୍ବାଚିତ ହୋଇଥିବା ଆନନ୍ଦ ସିଂହ ଆଜି (ସୋମବାର) ବିଧାନସଭାର ବିଧାୟକ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କଂଗ୍ରେସ ବିଧାୟକ ଆନନ୍ଦ ସିଂହ କହିଛନ୍ତି ଯେ ସେ ଆଜି ବିଧିବଦ୍ଧ ଭାବେ ବିଧାନସଭାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଇସ୍ତଫା ପତ୍ରକୁ ଆଜି ସକାଳେ ବିଧାନସଭାର ବାଚସ୍ପତି କେ ଆର ରମେଶ କୁମାରଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ, ଅନ୍ୟପକ୍ଷରେ ବାଚସ୍ପତି କେ ଆର ରମେଶ କୁମାର ଏଯାବତ୍‌ କଂଗ୍ରେସ ବିଧାୟକ ଆନନ୍ଦ ସିଂହଙ୍କ ଠାରୁ କୌଣସି ପ୍ରକାରର ଇସ୍ତଫା ପତ୍ର ପାଇ ନଥିବା କହିଛନ୍ତି।

ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ଆନନ୍ଦ ସିଂହ ତାଙ୍କର ଇସ୍ତଫାର କାରଣ ସଂପର୍କରେ କୌଣସି ସୂଚନା ଦେଇ ନଥିବା ବେଳେ ରାଜ୍ୟପାଳ ବାଜୁଭାଇ ଭାଲ୍ଲାଙ୍କୁ ସାକ୍ଷାତ କରିବା ପରେ ଯାଇ ସବୁକିଛି କହିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ତେବେ, କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଆନନ୍ଦ ସିଂହ ବିଜେପିରେ ଯୋଗ ଦେଉଥିବା ନେଇ ଜୋରସୋର ଆଲୋଚନା ଚାଲିଛି।