ବେଙ୍ଗାଲୁରୁ: ସିଦ୍ଦରମୈୟାଙ୍କ ସ୍ଥାନରେ ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ନେତୃତ୍ବ ଘୋଷଣା କରିଥିଲେ ମଧ୍ୟ ନେତୃତ୍ବ ବିବାଦ ତେଜିବାରେ ଲାଗିଛି। ଆଜି ଜଣେ ବରିଷ୍ଠ ନେତାଙ୍କ ଲିକ୍ ହୋଇଥିବା ଭିଡିଓ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓରେ ତିନି ଥର ବିଧାୟକ ହୋଇଥିବା ବିଆର୍ ପାଟିଲ ମାଣ୍ଡ୍ୟାସ୍ଥିତ କୃଷ୍ଣରାଜା ପେଟେରୁଙ୍କୁ କହୁଛନ୍ତି- ‘ସିଦ୍ଦରମୈୟାଙ୍କୁ ମୁଁ ହିଁ ସୋନିଆ ଗାନ୍ଧୀଙ୍କ ସହ ପରିଚିତ କରାଇଥିଲି। ତାଙ୍କ ଭାଗ୍ୟ ଭଲ ଥିବାରୁ ଲଟେରି ଲାଗିଗଲା ଓ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୋର କୌଣସି ଗଡ୍ଫାଦର ବା ଭଗବାନ ନାହାନ୍ତି। ମୁଁ ରଣଦୀପ ସୂର୍ଯେୱାଲାଙ୍କୁ ଭେଟିଥିଲି ଓ ତାଙ୍କୁ ଯାହା କହିବାର ଥିଲା କହିଥିଲି। ସେ ଧୈର୍ଯ୍ୟର ସହ ମୋ କଥା ଶୁଣିଲେ, ଦେଖନ୍ତୁ କ’ଣ ହେଉଛି।’
କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ସଂକଟମୋଚକ ଭାବେ ବେଙ୍ଗାଲୁରୁ ପଠାଯାଇଥିବା ସୂର୍ଯେୱାଲା ଗଣମାଧ୍ୟମକୁ କହିଛନ୍ତି ଯେ ବିଧାୟକମାନଙ୍କ ସହ ଆଲୋଚନାରେ ନେତୃତ୍ୱ ପରିବର୍ତ୍ତନ କଥା ଉଠିନାହିଁ। ତେବେ ଅନେକ ବିଧାୟକ ଆଜି ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ପୁଣି ଦାବି କରି ଅଡ଼ୁଆ ବଢ଼ାଇଛନ୍ତି। ପରେ ଶିବକୁମାର ଗଣମାଧ୍ୟମକୁ କହିଛନ୍ତି ଯେ ସେ ଚାହୁନାହାନ୍ତି ବିଧାୟକମାନେ ତାଙ୍କ ପାଇଁ ବ୍ୟାଟିଂ କରନ୍ତୁ। ବରଂ ସେମାନେ ୨୦୨୮ ବିଧାନସଭା ନିର୍ବାଚନରେ ଦଳ କିପରି କ୍ଷମତା ବଜାୟ ରଖିବ ତା’ ଉପରେ ଧ୍ୟାନ ଦେବା ଉଚିତ। ଶିବକୁମାରଙ୍କ ସମର୍ଥନରେ ଯେଉଁ ବିଧାୟକମାନେ ମୁହଁ ଖୋଲିଛନ୍ତି ସେମାନଙ୍କ ମଧ୍ୟରେ ଇକ୍ବାଲ ହୁସେନ ଅଛନ୍ତି, ହୁସେନ କହିଛନ୍ତି ଯେ କଂଗ୍ରେସର ୧୩୮ ବିଧାୟକଙ୍କ ମଧ୍ୟରୁ ୧୦୦ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଛନ୍ତି। ହାଇକମାଣ୍ଡ ଯଦି ଏବେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନ କରନ୍ତି ତେବେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।