ବେଙ୍ଗାଲୁର: କର୍ଣ୍ଣାଟକରେ ଏପ୍ରିଲ ୨୬ ଓ ମେ ୬ରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ । ଉଭୟ ବିଜେପି ଓ କଂଗ୍ରେସ କର୍ଣ୍ଣାଟକ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ଅନ୍ୟ ରାଜ୍ୟ ଭଳି କର୍ଣ୍ଣାଟକରେ ପିଇବା ପାଣି କିମ୍ବା ଘରେ ଗାଧୋଇବା ପାଇଁ ବ୍ୟବହୃତ ହେଉଥିବା ‘ଢାଳ’ ଏବେ ବି ଏକ ପ୍ରସଙ୍ଗ ହୋଇ ରହିଛି । କର୍ଣ୍ଣାଟକରେ ଏହାକୁ କନ୍ନଡ ଓ ତେଲୁଗୁ ଭାଷାରେ ‘ଚୋନ୍ୱୁ’ ବା ‘ଚେମ୍ବୁ’ କୁହାଯାଏ । କର୍ଣ୍ଣାଟକ କଂଗ୍ରେସ ସୋସିଆଲ ସାଇଟ୍ ‘ଏକ୍ସ’ରେ ‘ଢାଳ’ର ଫଟୋ ପୋଷ୍ଟ କରି ବିଜେପିକୁ ଲଗାତାର ଟାର୍ଗେଟ କରୁଛି ଏବଂ ପ୍ରତିଶ୍ରୁତି ଭାଙ୍ଗିଥିବା ଅଭିଯୋଗ ହୋଇଛି।
ବିଜେପି କର୍ଣ୍ଣାଟକ ପ୍ରତି ଭେଦଭାବ କରୁଛି ଏବଂ ସେମାନଙ୍କ ଦାବି ପୂରଣ କରୁନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟ ସରକାର ମରୁଡ଼ି ସହାୟତା ଯୋଗାଇ ଦେବାକୁ ଅନେକ ଥର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କର୍ଣ୍ଣାଟକ ବିରୋଧୀ କେନ୍ଦ୍ର ସରକାର କର୍ଣ୍ଣାଟକକୁ କେବଳ ଏକ ଖାଲି ଢାଳ ଦେଇଛନ୍ତି । ଏହାର ଉପଯୁକ୍ତ ସମାଧାନ ହେଉଛି ସେହି ଖାଲି ପାତ୍ରକୁ ବିଜେପି ସରକାରଙ୍କୁ ଫେରାଇ ଦେବା । ବାରମ୍ବାର ନିବେଦନ ସତ୍ତ୍ବେ ମରୁଡ଼ି ସହାୟତା ପାଇଁ ଅର୍ଥ ପ୍ରଦାନ କରୁନଥିବା କେନ୍ଦ୍ର ସରକାରଙ୍କ ଘୃଣା ଚରମ ସୀମାରେ ପହଂଚିଛି ।
ନିର୍ବାଚନରେ ଏହାର ଜବାବ କନ୍ନଡିଗାମାନେ ଦେବେ ବୋଲି ଦଳ କହିଛି । କର୍ଣ୍ଣାଟକ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସିଂହ ସୁରଜେୱାଲା କହିଛନ୍ତି ଯେ ରାଜ୍ୟରୁ ନିର୍ବାଚିତ ହୋଇଥିବା ବିଜେପି ଏବଂ ଜେଡିଏସର ୨୭ ଜଣ ସାଂସଦ ଆମ ଲୋକଙ୍କୁ କେବଳ ଢାଳ ଦେଇଛନ୍ତି ।
କଂଗ୍ରେସର ଏହି ଅଭିଯୋଗ ଉପରେ ବିଜେପି ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେପି ସମର୍ଥକ ଚଲୁଭେଗୌଡ଼ା ଏଚ୍ ଏନ୍ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ‘ତୁମର ଢାଳ ଏବେ ଖାଲି ପଡ଼ିଛି ଏବଂ ଏବେ ତୁମେ ଏହାକୁ ଧରି ଭିକ୍ଷାବୃତ୍ତି କରିବା ଆରମ୍ଭ କରିଛ । ଦୁଃଖର ବିଷୟ ଯେ ଆମ ପଡ଼ୋଶୀ ପାକିସ୍ତାନ ସହିତ ଯାହା ଘଟିଛି ତାହା କର୍ଣ୍ଣାଟକ ଭଳି । ଅନ୍ୟତମ ଧନୀ ରାଜ୍ୟ କର୍ଣ୍ଣାଟକର କୋଷାଗାର ଖାଲି କରିବାର ଶ୍ରେୟ କଂଗ୍ରେସ ସରକାରକୁ ମିଳିବ ।