ମାଙ୍ଗାଲୁରୁ: ଶୁକ୍ରବାର ଦିନ ଜର୍ମାନର ମୁନିଚ୍ ସହରରେ ଜଣେ ଗିନିବାସୀଙ୍କ ଛୁରାମାଡ଼ରେ ଉଡୁପି ଅନ୍ତର୍ଗତ କୁଣ୍ଡପୁରର ଜଣେ ସଫ୍େଓ୍ଵର୍ ଇଞ୍ଜିନିୟରଙ୍କର ମୃତ୍ୟୁ ଘଟିଛି ଓ ତାଙ୍କ ପତ୍ନୀ ଆହତ ହୋଇଛନ୍ତି। ଏକାଧିକ ଛୁରାଘାତ କ୍ଷତ ଯୋଗୁଁ ୪୯ ବର୍ଷିୟ ଇଞ୍ଜିନିୟର ପ୍ରଶାନ୍ତ ବାସରୁରଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ୪୩ ବର୍ଷୀୟ ସ୍ମିତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଛି।
ଏହା ବୈଷମ୍ୟଜନିତ ଅପରାଧ ନୁହେଁ ବୋଲି ପ୍ରାଥମିତ ତଦନ୍ତରୁ ଜଣାପଡ଼ିଥିବା କଥା ଭାରତୀୟ କର୍ତ୍ତୃପକ୍ଷମାନେ କହିଛନ୍ତି।
ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍ କରିଛନ୍ତି ଯେ ମୁନିଚ୍ ନିକଟରେ ଜଣେ ପ୍ରବାସବାସୀ ଏ ଦମ୍ପତିଙ୍କୁ ଛୁରି ମାରିଛନ୍ତି। ଅଭିଯୁକ୍ତ ସେମାନଙ୍କର ପଡ଼ୋଶୀ।
ଉଡୁପି ଜିଲ୍ଲାର ସିଦ୍ଦାପୁରସ୍ଥିତ ସ୍ମିତାଙ୍କ ପରିବାରକୁ ତୀବ୍ର ମାନସିକ ଆଘାତ ଲାଗିଛି। ଘଟଣା ସଂକ୍ରାନ୍ତରେ ସୂଚନା ପାଇବାକୁ ତାଙ୍କ ଭାଇ ସୁଜୟ ପୁଲିସ ସହ ଯୋଗାଯୋଗ କରିଥିଲେ। ସୁଜୟ ବିମାନ ଯୋଗେ ଜର୍ମାନ ଯିବେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ବସାରୁର୍ସ୍ ଠାରେ ଏକା ଆପାର୍ଟମେଣ୍ଟ୍ କମ୍ପ୍ଲେକ୍ସରେ ଗିନିର ଜଣେ ୩୩ ବର୍ଷିୟ ବ୍ୟକ୍ତି ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ବୋଲି ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହେବା ପରେ ଲୋକଟି ସେ ଦମ୍ପତିଙ୍କୁ ଛୁରାମାଡ଼ କରିଥିଲେ।
ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସ୍ମିତା ଏବଂ ତାଙ୍କର ପିଲାମାନେ ସମ୍ପ୍ରତି ଜର୍ମାନ ସରକାରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।
ଜର୍ମାନ ଯିବା ପୂର୍ବରୁ ସ୍ମିତା ଓ ପ୍ରଶାନ୍ତ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ୧୫ ବର୍ଷ ଧରି ବାସ କରୁଥିଲେ। ଗତବର୍ଷ ଦୁହେଁ ଜର୍ମାନର ନାଗରିକତ୍ତ୍ୱ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/68651041.jpg)