ନୂଆଦିଲ୍ଲୀ : କର୍ଣ୍ଣାଟକରେ ୧୭ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ ହେବା ମାମଲାରେ ଆଜି ସୁପ୍ରିମକୋର୍ଟ ପୂର୍ବତନ ବାଚସ୍ପତି କେ ଆର ରମେଶଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। କିନ୍ତୁ ଏହି ୧୭ ଜଣ ବିଧାୟକ ଆଗାମୀ ଡିସେମ୍ବର ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲଢ଼ିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି, ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରିବା ନେଇ ବାଚସ୍ପତିଙ୍କର କିଛି କ୍ଷମତା ନାହିଁ। ଆସନ୍ତା ୨୦୨୩ ଯାଏଁ ସମସ୍ତ ବିଦ୍ରୋହୀ ବିଧାୟକ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍ପତି ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଅଯୌକ୍ତିକ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଏନ୍ ଭି ରମଣ, ସଂଜୀବ ଖାନ୍ନା ଏବଂ କୃଷ୍ଣ ମୁରାରି କର୍ଣ୍ଣାଟକ ବିଧାୟକମାନଙ୍କ ଆବେଦନର ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି, ଯେଉଁଭଳି ଢଙ୍ଗରେ ଆବେଦନକାରୀମାନେ ସିଧାସଳଖ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ସେହି ପ୍ରକ୍ରିୟା ଠିକ୍ ନଥିଲା। ଅନ୍ୟପକ୍ଷରେ ବାଚସ୍ପତିଙ୍କ ଦ୍ବାରା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ନେଇ ମଧ୍ୟ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ବ୍ୟକ୍ତି କେତେ ସମୟ ପର୍ଯ୍ୟନ୍ତ ସେହି ସ୍ଥିତିରେ ରହିବେ ସେ ବାବଦରେ ନିଷ୍ପତ୍ତି ନେବା ଅଧିକାର ବିଧାନସଭା ବାଚସ୍ପତିଙ୍କର ନାହିଁ। ଅଯୋଗ୍ୟ ଘୋଷିତ ହୋଇଥିବା ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାରୁ ବାଚସ୍ପତି ବାରଣ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ କଂଗ୍ରେସ ଏବଂ ଜେଡିଏସ୍ର ୧୭ ଜଣ ବିଧାୟକ ପୂର୍ବତନ ବାଚସ୍ପତି ରମେଶ କୁମାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବିଧାୟକମାନେ ପୂର୍ବତନ କଂଗ୍ରେସ ଏବଂ ଜେଡିଏସ୍ ମେଣ୍ଟ ସରକାର ବିରୋଧରେ ବିଦ୍ରୋହ କରିଥିଲେ। ଫଳରେ ସରକାର ଭାଙ୍ଗିଗଲା ଏବଂ ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କଲା। ତେବେ ସୁପ୍ରିମକୋର୍ଟଙ୍କ ରାୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କ ପାଇଁ ଆଶ୍ବସ୍ତି ଆଣିଛି। ଯଦି ଏହି ବିଧାୟକମାନେ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ୟେଦୁରପ୍ପା ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରିବେ।