କର୍ଣ୍ଣାଟକରେ ପୁଣି ଆରମ୍ଭ ହେଲା ରିସୋର୍ଟ ରାଜନୀତି : ଆସ୍ଥା ଭୋଟ ପୂର୍ବରୁ ରିସୋର୍ଟରେ ରହୁଛନ୍ତି ତିନି ଦଳର ବିଧାୟକ

ବେଙ୍ଗଲୁରୁ: କର୍ଣ୍ଣାଟକ ସରକାରଙ୍କ ଉପରେ ସଂକଟ ଓ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ଭିତରେ ଆଗାମୀ ବିଧାନସଭା ଅଧିବେଶନରେ ଆସ୍ଥା ଭୋଟର ପ୍ରମାଣ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାର ସ୍ୱାମୀ । ଆଉ ଏହି ଘୋଷଣା ସହ ଜୋରଦାର ହୋଇଛି ରିସୋର୍ଟ ପଲିଟିକ୍ସ । ନିଜ ନିଜ ଦଳର ବିଧାୟକଙ୍କ ଉପରେ ହ୍ୱିପ୍ ଜାରି କରି ରିସୋର୍ଟ ଓ ହୋଟେଲରେ ଏକାଠି ରଖିବାକୁ ପ୍ରୟାସ କରିଛନ୍ତି ତିନି ରାଜନୈତିକ ଦଳ । କୁମାରସ୍ୱାମୀଙ୍କ ଦଳ ଜେଡିଏସ ଏହାର ବିଧାୟକମାନଙ୍କୁ ଆଗାମୀ ଆସ୍ଥା ଭୋଟ୍ ପର୍ଯ୍ୟନ୍ତ ନନ୍ଦାହିଲ୍ସରେ ଲୁଚାଇ ରଖିବାକୁ ନିଷ୍ପତ୍ତି  ରହିଛି । କେବଳ କୁମ୍ବାରସ୍ୱାମୀଙ୍କ ପତ୍ନୀ ଅନିତା ଓ ଭାଇ ଏଚଡି ରେବଣାଙ୍କୁ ଛାଡିଦେଲେ ବାକି ସମସ୍ତ ବିଧାୟକ ଏକ ପାହାଡ ଶିଖରରେ ଥିବା ଏହି ନନ୍ଦାହିଲ୍ସ ହୋଟେଲରେ ଗତ କିଛିଦିନ ହେଲା ରହିଛନ୍ତି । ବେଙ୍ଗଲୁରୁଠାରୁ ୬୦ କିଲୋମିଟର ଦୂର ଚିକାବଲ୍ଲାପୁର ଜିଲ୍ଲାରେ ରହିଛି ଏହି ହୋଟେଲ ।

ସେପଟେ କଂଗ୍ରେସ ମଧ୍ୟ ତାର ସମସ୍ତ ବିଧାୟକଙ୍କୁ ଯଶୋବନ୍ତପୁରର ହୋଟେଲ ତାଜ୍ ଭିଭନ୍ତରେ ସାମୟିକ ଭାବେ ରଖିବାକୁ ନିଷ୍ପତ୍ତି ନେଇଛି । ପରେ ଏମାନଙ୍କୁ ଏକ ଅଜଣା ସ୍ଥାନକୁ ସ୍ଥାନାନ୍ତର କରାଯିବ । ବିଜେପି ପ୍ରଲୋଭନରୁ ଦୂରେଇ ରଖିବାକୁ ଏମାନଙ୍କୁ ସେହି ଅଜଣା ସ୍ଥାନରୁ ସିଧା ବିଧାନସଭା ନେବାକୁ ରଣନୀତି କରିଛି ଦଳ ।

photo-jansatta

ସେହିପରି ବିଜେପି ତାର ୧୦୫ ବିଧାୟକଙ୍କ ମଧ୍ୟରୁ ବିଧାନସଭାକୁ ନୂଆକରି ନିର୍ବାଚିତ ହୋଇଥିବା ୮୦ ଜଣଙ୍କୁ ଏକ ହୋଟେଲରେ ରଖିବାକୁ ସ୍ଥିର କରିଛି । କଂଗ୍ରେସ-ଜେଡିଏସର ଓଲଟା ଶିକାର ଆଶଙ୍କା କରି ଏମାନଙ୍କୁ ସୋମବାର ଯାଏଁ ୟଲହଙ୍କା ଉପକଣ୍ଠ   ଡୋଡବଲ୍ଲାପୁରାରେ ଏକ ରିସୋର୍ଟରେ ରଖାଯିବ ।

ସମ୍ବନ୍ଧିତ ଖବର