କର୍ଣ୍ଣାଟକ ଡ୍ରାମା: ଅବଗଣନା ଆରମ୍ଭ

ବିଧାୟକଙ୍କୁ ସମ୍ଭାଳିବାକୁ ସବୁ ଦଳ ନାକେଦମ୍‌

ହାଇଦ୍ରାବାଦ: ଶନିବାର କର୍ଣ୍ଣାଟକ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ବି.ଏସ୍‌୍‌. ୟେଦୁରପ୍ପାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଉଭୟ ବିଜେପି ଓ ଜେଡିଏସ୍‌-କଂଗ୍ରେସ ମଧ୍ୟରେ ଛକାପଂଝା ଚରମ ସୀମାରେ ପହଞ୍ଚିଛି। ନିଜ ବିଧାୟକମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଦଳଗୁଡ଼ିକ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଜେଡିଏସ୍‌-କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ଓ ବିଭିନ୍ନ ଚାପ ସୃଷ୍ଟି କରି ବିଜେପି ନିଜ ପଟକୁ ନେବାକୁ ଚେଷ୍ଟା କରୁଛି। ତେବେ ଏହା କଂଗ୍ରେସ-ଜେଡିଏସ୍‌୍‌ ନେତାଙ୍କ ହତାଶା ବୋଲି ବିଜେପି କହିଛି। ତେବେ ଜେଡିଏସ୍‌-କଂଗ୍ରେସ ମଧ୍ୟ ବିଜେପି ବିଧାୟକଙ୍କ ଉପରେ ଚାପ ସୃଷ୍ଟି କରି ସେମାନଙ୍କୁ ଦଳ ବିରୋଧରେ ଯିବାକୁ ଉସୁକାଉଥିବା ଅଭିଯୋଗ ହୋଇଛି। ମିଳିଥିବା ସଦ୍ୟ ସୂଚନା ମୁତାବକ, ବିଜେପି ବିଧାୟକ ପ୍ରୀତମ ଗେଜଡ଼ାଙ୍କ ସହ କଂଗ୍ରେସ ସମ୍ପର୍କ ରଖିବାକୁ ଚେଷ୍ଟା କରିଛି। କିନ୍ତୁ ଏଭଳି ଅଭିଯୋଗକୁ ପ୍ରୀତମ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ୭ ଜଣ ବିଧାୟକଙ୍କ ବିଜେପି ନେତାମାନେ ସଂପର୍କରେ ଥିବା ଆଜି ଚର୍ଚ୍ଚାର ବିଷୟ ହୋଇଛି। ହାଇଦ୍ରାବାଦରେ ଥିବା କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ବେଙ୍ଗାଲୁରୁ ଅଭିମୁଖେ ବସ୍‌୍‌ରେ ବାହାରିଛନ୍ତି। ଏହି ବିଧାୟକମାନଙ୍କୁ ଗତରାତିରେ ୩ଟି ବସ ଯୋଗେ ହାଇଦ୍ରାବାଦ ନିଆଯାଇଥିଲା। ତେବେ ଶନିବାର ବିଧାନସଭାରେ ଉପସ୍ଥିତ ରହିବା ପାଇଁ ସେମାନେ ଆସନ୍ତାକାଲି ଆସି କର୍ଣ୍ଣାଟକରେ ପହଞ୍ଚିବେ। ଗଣମାଧ୍ୟମକୁ ସୂଚନା ଦେଇ ଜେଡିଏସ୍‌ ମୁଖ୍ୟ ଏଚ.ଡି.ଦେବଗୌଡା କହିଛନ୍ତି ଯେ, କୌଣସି ବିଧାୟକ ନିଖୋଜ ନାହାନ୍ତି କି ସେମାନେ ବିଜେପିର କୌଣସି ଚାପକୁ ଖାତିର କରିବେ ନାହିଁ। ଶହେ କୋଟି ବଦଳରେ ୨ ଶହ କୋଟି ଦେଲେ ବି ଏହି ମେଣ୍ଟ ଭାଙ୍ଗିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବଞ୍ଜାରା ହିଲସ, ଗୋଲକୋଣ୍ଡା ଓ ନୋଭୋଟେଲ ଅଞ୍ଚଳରେ ଏହି ବିଧାୟକମାନେ ଥିବା ବେଳେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସେମାନଙ୍କ ରହିବାର ସମସ୍ତ ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି।

ବିଜେପି ଟଙ୍କା ଯାଚୁଥିବା ଅଡିଓ ଟେପ୍‌ ରିଲିଜ କଲା କଂଗ୍ରେସ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାୟକ କିଣାବିକା ନେଇ ସରଗରମ ସ୍ଥିତି ଲାଗି ରହିଛି। ଆସନ୍ତାକାଲି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ଥିବା ବେଳେ ଆଜି ସନ୍ଧ୍ୟାରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଟଙ୍କା ଯାଚୁଥିବା ପ୍ରମାଣ ଦେଖାଇଛି। ବିଜେପି ନେତା ଜନାର୍ଦ୍ଦନ ରେଡ୍ଡି କଂଗ୍ରେସ ବିଧାୟକ ରାଇଚୁର ରୁରାଲଙ୍କୁ ଟଙ୍କା ଓ ମନ୍ତ୍ରୀପଦର ପ୍ରଲୋଭନ ଦେଖାଇ ନୂଆ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କୁ ସମର୍ଥନ କରିବାକୁ କହୁଥିବା ଏହି ଅଡିଓ ଟେପ ଏବେ ବିଜେପି ପାଇଁ ଅଡ଼ୁଆ ହୋଇଛି। ଏହି ଅଡିଓ ଟେପରେ ରେଡ୍ଡି ସ୍ପଷ୍ଟ ଭାବେ କହୁଛନ୍ତି ଯେ, ଅମିତ ଶାହ ତାଙ୍କୁ ଏଭଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଜେଡିଏସ୍‌ ନେତାମାନେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଦଳୀୟ ବିଧାୟକଙ୍କୁ ବିଜେପି ଶହେ କୋଟି ଟଙ୍କା ଲେଖାଏଁ ଯାଚୁଥିବା ଜେଡିଏସ୍‌ ମୁଖ୍ୟ କୁମାରସ୍ୱାମୀ କହିଥିଲେ।

ସମ୍ବନ୍ଧିତ ଖବର