କର୍ଣ୍ଣାଟକ ନିର୍ବାଚନ ପାଇଁ ବିଗୁଲ୍‌ ବାଜିଲା

ନୂଆଦିଲ୍ଲୀ : ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ମେ ୧୦ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଆସନରେ ଭୋଟ୍‌ ଗ୍ରହଣ ହେବ ଏବଂ ମେ ୧୩ ତାରିଖ ଦିନ ଫଳାଫଳ ଘୋଷଣା ହେବ।

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ ୨୫ ତାରିଖରେ ଶେଷ ହେଉଛି। ଆସନ୍ତା ୧୩ ଏପ୍ରିଲରୁ ବିଜ୍ଞପ୍ତି ଜାରି ହେବା ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ପ୍ରାର୍ଥୀମାନଙ୍କ ନାମାଙ୍କନ ପ୍ରକ୍ରିୟା ୧୩ ଏପ୍ରିଲ୍‌ରୁ ଆରମ୍ଭ ହୋଇ ୨୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ୨୧ ତାରିଖ ସୁଦ୍ଧା ନାମାଙ୍କନପତ୍ର ଯାଞ୍ଚ ସମୟସୀମା ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହେଉଛି ଏପ୍ରିଲ ୨୪। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ଏଥର କର୍ଣ୍ଣାଟକ ଭୋଟର୍‌ ତାଲିକାରେ ୯.୧୭ ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି। ରାଜ୍ୟରେ ୫୮ ହଜାରରୁ ଅଧିକ ପୋଲିଂ ବୁଥ୍‌ ସ୍ଥାପନ ହେବ । ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି, ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ଆମର ଲକ୍ଷ୍ୟ।

ଏଥର କର୍ଣ୍ଣାଟକ ନିର୍ବାଚନରେ ମୋଟ ୫,୨୧,୭୩,୫୭୯ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟରେ ମହିଳା ଭୋଟର୍‌ଙ୍କ ସଂଖ୍ୟା ୨.୫୯ କୋଟି ଥିବା ବେଳେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ହେଉଛି ୨.୬୨ କୋଟି। ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ୪,୬୯୯ ତୃତୀୟ ଲିଙ୍ଗ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ରାଜ୍ୟର ୨୨୪ ବିଧାନସଭା ଆସନରୁ ୩୬ଟି ଆସନ ଅନୁସୂଚୀତ ଜାତି(ଏସ୍‌ସି) ବର୍ଗ ପାଇଁ ସଂରକ୍ଷିତ ଥିବା ବେଳେ ୧୫ଟି ଆସନ ଅନୁସୂଚୀତ ଜନଜାତି (ଏସ୍‌ଟି) ବର୍ଗ ପାଇଁ ସଂରକ୍ଷିତ ରହିଛି । ରାଜ୍ୟରେ ୨୦୧୮ ବିଧାନସଭା ନର୍ବାଚନରେ ବିଜେପି ୧୦୪ ଆସନ ହାସଲ କରି ସବୁଠାରୁ ବଡ଼ ଦଳର ମାନ୍ୟତା ହାସଲ କରିଥିଲା ଏବଂ ବର୍ତ୍ତମାନ ବିଜେପିର ସଦସ୍ୟ ସଂଖ୍ୟା ୧୧୯। କଂଗ୍ରେସ ପାଖରେ ୭୫ ଆସନ ଥିବା ବେଳେ ଜନତା ଦଳ (ଏସ୍‌)ର ଆସନ ସଂଖ୍ୟା ୨୮। ଏଥର ନିର୍ବାଚନରେ ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେବ। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମଧ୍ୟ ଏଥର ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ନିର୍ବାଚନ କମିସନ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହିତ ବିଭିନ୍ନ ରାଜ୍ୟରେ ୪ ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏଥିରେ ଜଳନ୍ଧର ଲୋକସଭା ଆସନ, ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ, ଉତ୍ତରପ୍ରଦେଶର ଚାନବେ ଓ ସୁଅର ବିଧାନସଭା ଆସନ ଏବଂ ମେଘାଳୟର ସୋହଲୋଂଗ ବିଧାନସଭା ଆସନ ରହିଛି। ସମସ୍ତ ଉପନିର୍ବାଚନ ପାଇଁ ମେ ୧୦ରେ ହିଁ ଭୋଟ୍‌ ଗ୍ରହଣ ହେବ।

ସମ୍ବନ୍ଧିତ ଖବର