ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ପାର୍ଟିରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ‌ହୋଇଥିବା କଥା ଆଜି ବାଟଘାଟରେ ଲାଗିଥିବା ପୋଷ୍ଟର୍‌ରୁ ଜଣାପଡ଼ିଛି।

Advertisment

ଆଜି ସକାଳୁ ରାଜଧାନୀ ବେଙ୍ଗାଲୁରୁରେ ଡି. କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରି କେତେକ ସମର୍ଥକ ପୋଷ୍ଟର୍‌ ଲଗାଇଥିବା ବ‌େଳେ ବିଦାୟୀ ବିରୋଧୀ ଦଳ ନେତା ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଆଉ କେତେକ ସମର୍ଥକ ଦାବି କରି ପୋଷ୍ଟର୍‌ ମାରିଛନ୍ତି।

ରାଜ୍ୟର ଏ ଦୁଇଜଣ ବରିଷ୍ଠ ନେତାଙ୍କ ମଧ୍ୟରୁ କଂଗ୍ରେସ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବା ପାଇଁ ଚୟନ କରିବ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଆଜି ସନ୍ଧ୍ୟାରେ କଂଗ୍ରେସ ତା’ର ବିଧାୟକମାନଙ୍କର ବୈଠକ ଡକାଇଛି।

publive-image Image Courtesy of ABP

ଏହି ବୈଠକ ସନ୍ଧ୍ୟା ୬ଟା ବେଳେ ବେଙ୍ଗାଲୁରୁସ୍ଥିତ ଶାଙ୍ଗ୍‌ରି-ଲା ହୋଟେଲ୍‌ରେ ବସିବ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଡି. କେ. ଶିବକୁମାର କହିଛନ୍ତି। ଯାହା ଜଣାପଡୁଛି, ରାଜ୍ୟର ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ କଂଗ୍ରେସର ଜାତୀୟ ଅଧ୍ୟକ୍ଷଙ୍କ ହାତରେ ଛାଡ଼ିବାକୁ ଏହି ବୈଠକରେ ପ୍ରସ୍ତାବନା ପାସ୍‌ କରାଯିବ। କିନ୍ତୁ, ଆଜି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ନାହିଁ ବୋଲି ବିଶେଷସୂତ୍ରରୁ ପ୍ରକାଶ। ଏ ସଂକ୍ରାନ୍ତରେ ବିଧାୟକମାନଙ୍କର ମତାମତ ଅବଶ୍ୟ ଗ୍ରହଣ କରାଯିବ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ଡି. କେ. ଶିବକୁମାର ଓ ସିଦ୍ଦରମୈୟା ଆଶାୟୀ ଥିବାରୁ ଦଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଡି. କେ. ଶିବକୁମାର ତାଙ୍କ ପରିବାର ଓ କଂଗ୍ରେସ ସାଂସଦ ତଥା ଭାଇ ଡି. କେ. ସୁରେଶଙ୍କ ସହିତ ରାଜ୍ୟ ରାଜଧାନୀଠାରୁ ୧୨୦ କିଲୋମିଟର୍‌ ଦୂରରେ ଅବସ୍ଥିତ ଏକ ମନ୍ଦିରରେ ଦିଅଁ ଦର୍ଶନ କରିବାକୁ ଯାଇଛନ୍ତି।