କର୍ଣ୍ଣାଟକରେ ୧୫ ଆସନ ପାଇଁ ଭୋଟ୍‌ ଗ୍ରହଣ‌ ଶେଷ, ୟେଦୁରପ୍ପାଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂ୍ଆଦିଲ୍ଲୀ: କର୍ଣ୍ଣାଟକ‌ରେ ଆଜି ୧୫ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି।। ପ୍ରାୟ ୬୬.୫୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୧୨୬ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୬୫ ଜଣଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ ସମସ୍ତ ଆସନରେ ନିର୍ବାଚନ ଲଢ଼ିଥିବା ବେ‌ଳେ ଜେଡିଏସ୍‌ ୧୨ଟି ଆସନରେ ନିର୍ବା‌ଚନ ଲଢ଼ିଛି। ଡିସେମ୍ବର ୯ ତାରିଖରେ ଉପ ନିର୍ବାଚନ ଫଳାଫଳ ଆସିବ। ତେବେ ଏହି ନିର୍ବାଚନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କ ନେତୃତ୍ବାଧୀନ ବିଜେପି ସରକାରର ଭାଗ୍ୟ ପରୀକ୍ଷା କରିବ। ୧୪ କଂଗ୍ରେସ ଏବଂ ୩ ଜେଡିଏସ୍‌ ବିଧାୟକଙ୍କ ସମେତ ସମୁଦାୟ ୧୭ ଜଣ ବିଦ୍ରୋହୀ ବିଧାୟକ ପୂର୍ବତନ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାରକୁ ବିରୋଧ କରି ଗତ ଜୁଲାଇରେ ସେମାନଙ୍କ ବିଧାନସଭା ଆସନରୁ ଇସ୍ତଫା ଦେଇଥିଲେ। ଏହାପରେ ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାର ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଫଳରେ ୧୭ଟି ଆସନରେ ପୁନଃ ନିର୍ବା‌ଚନ ଦରକାର ପଡ଼ିଲା। ୧୭ ବିଧାୟକ ଇସ୍ତଫା ଦେବାପରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ହେଲା ଏବଂ ଏହାପରେ ବିଜେପି କ୍ଷମତାକୁ ଆସିଲା। ବିଏସ୍‌ ୟେଦୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କ‌ଲେ। କିନ୍ତୁ ଆଗକୁ ବିଜେପି ପାଇଁ ବଡ଼ ଚ୍ୟ‌ାଲେଂଜ ରହିଛି। ବିଜେପି କ୍ଷମତାରେ ରହିବାକୁ ହେଲେ ଏହି ୧୫ଟି ଆସନରୁ ୬ଟି ଆସନରେ ଜିତିବା ନିତାନ୍ତ ଆବଶ୍ୟକ। ନିର୍ବାଚନ ଫଳାଫଳ ଆସିବା ପରେ ହିଁ ଜଣାପଡ଼ିବ ୟେଦୁରପ୍ପା ଆଉ କେତେଦିନ କ୍ଷମତାରେ ରହିବେ। ଖାଲି ପଡ଼ିଥିବା ୧୭ଟି ବିଧାନସଭା ଆସନରୁ ୧୫ଟିରେ ଉପନିର୍ବାଚନ ହୋଇଛି। ମୁସ୍କି ଏବଂ ଆର ଆର ନଗର ଆସନରେ ଉପନିର୍ବାଚନ ବାତିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକ ବିଧାନସଭାରେ ସମୁଦାୟ ୨୨୪ଟି ଆସନ ରହିଛି। କିନ୍ତୁ ବିଧାୟକମାନଙ୍କ ଅଯୋଗ୍ୟ ‌‌ଘୋଷଣା ପରେ ବର୍ତ୍ତମାନ ବିଧାନସଭାରେ ଆସନ ସଂଖ୍ୟା ୨୦୮କୁ ଖସି ଆସିଛି। ଉପନିର୍ବାଚନ ପରେ ଏହି ସଂଖ୍ୟା ମନୋନୀତ ସଦସ୍ୟଙ୍କ ବାଦ୍‌ ୨୨୨ ରହିବ। ତେବେ ଏହି ୨୦୮ ଆସନ ମଧ୍ୟରୁ ୧୦୫ଟି ବିଜେପି ପାଖରେ ଥିବା ବେଳେ କଂଗ୍ରେସ ପାଖରେ ୬୬ ଏବଂ ଜେଡିଏସ୍‌ ପାଖରେ ୩୪ ଟି ରହିଛି। ଏବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୧୧୨। ‌ବିଜେପି ପାଖରେ ୧୦୫ଟି ଆସନ ରହିଛି। ୧୧୨ ଆସନ ପାଇବା ପାଇଁ ବିଜେପିକୁ ୬ଟି ଆସନରେ ଜିତିବାକୁ ପଡ଼ିବ। ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୩ ଜଣ ବି‌ଜେପିରେ ଯୋଗ ଦେଇଥିବାବେଳେ ବିଜେପି ସେମାନଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ମଧ୍ୟ ଅନେକ ବିଜେପି ସମର୍ଥକ ଅସନ୍ତୁଷ୍ଟ ଅଛନ୍ତି। ଯଦି ବିଦ୍ରୋହୀ ବିଧାୟକ ନିର୍ବାଚରେ ଆଶାନୁରୂପ ଭୋଟ୍‌ ନ ପାଆନ୍ତି ତେବେ ବିଜେପିର ଗଣିତ ଓଲଟ ପାଲଟ ହୋଇଯିବ।

ସମ୍ବନ୍ଧିତ ଖବର