କର୍ଣ୍ଣାଟକ ନିର୍ବାଚନ : ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ବୋମାଇ, ରବିବାର କଂଗ୍ରେସ ବିଧାୟକଦଳ ବୈଠକ

ବେଙ୍ଗାଲୁରୁ : ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କିଛି ସମୟ ପୂର୍ବେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ସେପଟେ ରବିବାର ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟର ନବନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି କଂଗ୍ରେସ । ଏହି ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ଅନୁମୋଦନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବୋଚ୍ଚ ଦାବିଦାର ଏବଂ ତାଙ୍କର ତିନି ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି । ରାଜ୍ୟର ଜଣେ ଉପମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ରଦାୟର ହେବାର ସମ୍ଭାବନା ରହିଛି ।

ଶନିବାର ସଂଧ୍ୟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଘରେ କଂଗ୍ରେସର ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ କଂଗ୍ରେସ ନେତା ସିଦ୍ଧରମୈୟା, ଡିକେ ଶିବକୁମାର, କେସି ବେଣୁଗୋପାଳ ଓ ରଣଦୀପ ସୁରଜେୱାଲା ଯୋଗ ଦେଇଥିଲେ ।

ଏହି ନିର୍ବାଚନରେ କଂଗ୍ରେସ ୧୩୭ଟି ଆସନରେ ବିଜୟୀ ହୋଇଛି । ବିଜେପି ୬୫ଟି ଆସନରେ ବିଜୟୀ ହୋଇଛି। ଜେଡିଏସ୍ ୧୯ଟି ଆସନରେ ବିଜୟୀ ହୋଇଛି । ଅନ୍ୟମାନଙ୍କୁ ୩ଟି ଆସନ ମିଳିଛି । ଏହା ସହିତ ରାଜ୍ୟରେ ୩୮ ବର୍ଷର ନିର୍ବାଚନ ପରମ୍ପରା ଏଥର ମଧ୍ୟ ଜାରି ରହିଛି। ଅର୍ଥାତ୍ ରାଜ୍ୟରେ ଭୋଟରମାନେ ୨ଥର ପାଇଁ କୌଣସି ସରକାରକୁ ରିପିଟ୍ ବା ପୁନରାବୃତ୍ତି କରିନାହାନ୍ତି।

ସମ୍ବନ୍ଧିତ ଖବର