କର୍ଣ୍ଣାଟକ ପାଇଁ ରାତିରେ ବସିଲା ସୁପିମ୍ କୋର୍ଟ : ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ ସର୍ବୋଚ୍ଚ ଅଦାଲତ

ୟେଦୁରପ୍ପାଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣ, ସୁପ୍ରିମକୋର୍ଟରେ ଚାଲେଞ୍ଜ କଲା କଂଗ୍ରେସ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପି ନେତା ୟେଦୁରପ୍ପାଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ବିରୋଧ କରି କଂଗ୍ରେସ ଓ ଜେଡିଏସ୍‌ ପକ୍ଷରୁ ସୁପ୍ରିମ କୋର୍ଟରେ ପିଟିସନ୍‌ ଦାଖଲ ହେବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନିର୍ଦେଶ କ୍ରମେ ଏକ ତିନି ଜଣିଅା ଖଣ୍ଡପୀଠ ରାତି ୨ଟାରେ ଏହାର ବିଚାର କରି  ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରହିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି ଜାରି ରହିବ ବୋଲି ସୁପିମକୋର୍ଟ କହିଛନ୍ତି। ବୁଧବାର ରାତି ୨ଟାରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇ ଗୁରୁବାର ଭୋର ପର୍ଯ୍ୟନ୍ତ ଚାଲିଥିଲା।

ସୂଚନାଯୋଗ୍ୟ, କର୍ଣ୍ଣାଟକ ରାଜ୍ୟପାଳ ସରକାର ଗଠନ ପାଇଁ ଆଜି ବିଜେପିକୁ ଆମନ୍ତ୍ରଣ କରିଥିଲେ। ୧୫ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଲାଗି ବିଜେପି ବିଧାୟକ ଦଳର ନେତା ୟେଦୁରପ୍ପାଙ୍କୁ ପରାମର୍ଶ ଦେଇଥିଲେ। ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା। ବିଜେପି ସର୍ବାଧିକ ୧୦୪ ଆସନ ହାସଲ କରିଥିଲା। ତେବେ ସରକାର ଗଠନ ପାଇଁ ଦାବି କରିଥିବା କଂଗ୍ରେସ-ଜେଡିଏସ୍‌ ମେଣ୍ଟର ୧୧୬ ସଭ୍ୟ ଅଛନ୍ତି। ଆବଶ୍ୟକ ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ମେଣ୍ଟକୁ ସରକାର ଗଠନ ପାଇଁ ସୁଯୋଗ ଦେଇ ନ ଥିଲେ।

ଆବଶ୍ୟକ ସଂଖ୍ୟା ନଥାଇ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ସୁଯୋଗ ଦେଇଥିବାରୁ ବିରୋଧୀ ଦଳ ତୀବ୍ର ସମାଲୋଚନା କରିଥିଲା। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସେମାନେ ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ। ଏହାକୁ ଚାଲେଞ୍ଜ କରି କଂଗ୍ରେସ ଓ ଜେଡିଏସ୍‌ ସୁପ୍ରିମ କୋର୍ଟ ଯାଇଥିଲେ।

ବୁଧବାର ବିଳମ୍ବିତ ରାତିରେ ମାମଲାର ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନିର୍ଦେଶ କ୍ରମେ ଜଷ୍ଟିସ ସିକରିଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ବେଞ୍ଚ ଗଠିତ ହୋଇଥିଲା। କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ କଂଗ୍ରେସ ପକ୍ଷରୁ ଅଭିଷେକ ସିଙ୍ଗଭୀ ଯୁକ୍ତି ଉପସ୍ଥାପନ କରିଥିଲେ।

ଉଲ୍ଲେଯୋଗ୍ୟ, ବିଧାନସଭାରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ସରକାର ଗଠନ ପାଇଁ ୧୧୨ ଆସନ ଦରକାର ଥିବା ବେଳେ ବିଜେପି ସର୍ବାଧିକ ୧୦୪ଟି ଆସନ ହାସଲ କରିଛି। କଂଗ୍ରେସ ୭୮ ଏବଂ ଜେଡିଏସ୍‌ ୩୮ଟି ଆସନ ହାସଲ କରିଛି। ଆବଶ୍ୟକ ଠାରୁ ୮ ବିଧାୟକ କମ୍‌ ସତ୍ତ୍ୱେ ବିଜେପି ସରକାର ଗଠନ ପାଇଁ ଜୋରଦାର ଦାବି କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏବଂ ଜେଡିଏସ୍‌ (୧୧୬) ମଧ୍ୟ ସରକାର ଗଠନ ପାଇଁ ଦାବି କରିଥିଲେ। ଏହାକୁ ନେଇ ବୁଧବାର ଦିନସାରା ରାଜନୀତି ଗତିବିଧି ଉଷ୍ମ ରହିଥିଲା। ପ୍ରଥମେ ବିଜେପି ନେତା ୟେଦୁରପ୍ପା ରାଜ୍ୟପାଳଙ୍କୁ ପୁଣି ଥରେ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ଏହାର କିଛି ସମୟ ପରେ ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟକୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିବାକୁ ଜେଡିଏସ୍‌ ମୁଖ୍ୟ ଏଚ.ଡି.କୁମାରସ୍ୱାମୀଙ୍କ ନେତୃତ୍ୱରେ ମେଣ୍ଟର ବିଧାୟକମାନେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ୧୧୭ ଜଣ ବିଧାୟକଙ୍କ ତାଲିକା ଦାଖଲ କରିଥିଲେ। ଆବଶ୍ୟକ ବିଧାୟକଙ୍କ ସମର୍ଥନ ଥିବାରୁ ତାଙ୍କୁ ସରକାର ଗଢିବାକୁ ସୁଯୋଗ ଦିଆଯାଉ ବୋଲି ମଧ୍ୟ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରଥିଲେ। ତେବେ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ରାଜ୍ୟପାଳ କୌଣସି ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବୁଧବାର ରାଜ୍ୟପାଳଙ୍କ ସମ୍ମୁଖରେ ବିଧାୟକଙ୍କ ସମର୍ଥନ ପ୍ରଦର୍ଶନ କରିବାକୁ ଉଭୟ କଂଗ୍ରେସ ଓ ଜେଡିଏସ୍‌ର ସମସ୍ତ ବିଧାୟକ ଏକ ବସ୍‌ ଯୋଗେ ରାଜଭବନରେ ପହଞ୍ଚିଥିଲେ। କଂଗ୍ରେସ ଓ ଜେଡିଏସ୍‌ ନିକଟରେ ଆବଶ୍ୟକତା ଠାରୁ ଅଧିକ ବିଧାୟକ ରହିଥିବାରୁ ରାଜ୍ୟପାଳ କୌଣସି ଅନ୍ୟାୟ କରିବେନି ବୋଲି ବିଶ୍ୱାସ ରହିଥିବା କଂଗ୍ରେସ ନେତା ଡି.କେ.ଶିବକୁମାର କହିଥିଲେ। ତେବେ ରାଜ୍ୟପାଳଙ୍କ ସହ ଭେଟ ହେବା ପରେ କଂଗ୍ରେସ ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ହୋଟେଲକୁ ନେଇ ଯାଇଥିବା ଜଣାପଡ଼ିଛି। ଅପରପକ୍ଷେ, ବୁଧବାର ସକାଳୁ ରାଜ୍ୟ ବିଜେପି ସଭାପତି ବି.ଏସ୍‌.ୟେଦୁରପ୍ପା ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ଦଳୀୟ ବିଧାୟକଙ୍କ ସମର୍ଥନ ତାଲିକା ଦେଇଥିଲେ।

ସେପଟେ, ଅସନ୍ତୁଷ୍ଟ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ନିଜର କରିବା ପାଇଁ ବିଜେପି ଘୋଡାବେପାର କରୁଥିବା ଅଭିଯୋଗ ହୋଇଛି। ଜଣେ ଜଣେ ବିଧାୟକଙ୍କୁ ଶହେ କୋଟି ଟଙ୍କାରେ ବିଜେପି କିଣିବାକୁ ପ୍ରୟାସ କରୁଥିବା ଜେଡିଏସ ମୁଖ୍ୟ ଏଚ.ଡି.କୁମାରସ୍ୱାମୀ ଅଭିଯୋଗ କରିଛନ୍ତି। ବିଶେଷକରି କଂଗ୍ରେସର ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକଙ୍କୁ ବିଜେପି ଟାର୍ଗେଟ କରିଥିବା ସେ କହିଛନ୍ତି। କର୍ଣ୍ଣାଟକ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କିନ୍ତୁ କୁମାରସ୍ୱାମୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର