ବେଙ୍ଗାଲୁରୁ: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୦ ତାରିଖରେ ଭୋଟରମାନେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। କିଛି ସର୍ଭେରୁ ଜଣାପଡ଼ିଛି ଯେ ଚଳିତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ। ଅନ୍ୟପକ୍ଷେ ଜେଡିଏସ୍‌ କିଙ୍ଗମେକର ହେବାର ଆଶା ରଖିଛି।

Advertisment

ଶେଷ ପର୍ଯ୍ୟାୟରେ ବିଜେପି ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବ୍ୟାପୀ ୨୦ରୁ ଅଧିକ ରୢାଲି କରିଛନ୍ତି। ମୋଦୀ ଲଗାତାର ୨ ଦିନ ଧରି ବେଙ୍ଗାଲୁରୁରେ ଏକ ବିଶାଳ ରୋଡ୍‌ସୋ କରିଥିଲେ। ଏହି ରାଲି ୨୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅତିକ୍ରମ କରିଥିଲା। କଂଗ୍ରେସର ୨ଟି ଭୁଲ୍‌କୁ ମୋଦୀ ଅସ୍ତ୍ର କରିଥିଲେ। ପ୍ରଥମଟି ହେଉଛି ତାଙ୍କ ଉପରେ କଂଗ୍ରେସର ବ୍ୟକ୍ତିଗତ ଆକ୍ରମଣ ଏବଂ ଦ୍ବିତୀୟଟି ହେଉଛି କଂଗ୍ରେସର ନିର୍ବାଚନ ଇସ୍ତାହାରରେ ବଜରଙ୍ଗ ଦଳ ନିଷିଦ୍ଧ ପାଇଁ ପ୍ରତିଶ୍ରୁତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେପି ମଧ୍ୟ ଚଳିତ ନିର୍ବାଚନରେ ଜାତି ଗଣିତ ଉପରେ ନିର୍ଭର କରିଛି। ଏସ୍‌ସି, ଏସ୍‌ଟି, ଲିଙ୍ଗାୟତ ଏବଂ ଭୋକ୍କାଲିଗାଙ୍କୁ ଏହା ଅତିରିକ୍ତ ସଂରକ୍ଷଣ ପ୍ରଦାନ କରିଛି। ମୋଦୀ ଏବଂ ଶାହ ବିଜେପିର ଆତ୍ମବିଶ୍ବାସ ବଢ଼ାଇଛନ୍ତି। ତେବେ ଫଳ ଆସିବା ଦିନ ସବୁକିଛି ସ୍ପଷ୍ଟ ହେବ। ୧୯୮୫ ମସିହାଠାରୁ ରାଜ୍ୟରେ କୌଣସି ଦଳ ଲଗାତାର ସରକାର ଗଠନରେ ସଫଳ ହୋଇନାହିଁ। କିନ୍ତୁ ବିଜେପି ଚଳିତ ଥର ଇତିହାସ ସୃଷ୍ଟି କରିବାପାଇଁ ନଜର ରଖିଛି। ଅନ୍ୟପକ୍ଷେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବ ବୋଲି ବାରମ୍ବାର ଦାବି କରିଛି।

କଂଗ୍ରେସ କର୍ଣ୍ଣାଟକରେ ଏହାର ପୂର୍ବ ସ୍ଥିତି ଫେରା‌ଇ ଆଣିବାକୁ ଚେଷ୍ଟା ଜାରି ରଖିଛି। କଂଗ୍ରେସ ଏହାର ନିର୍ବାଚନ ପ୍ରତିଶ୍ରୁତି ଏବଂ ସରକାର ବିରୋଧୀ ହାୱାକୁ ଅସ୍ତ୍ର କରିବାକୁ ଚେଷ୍ଟା କରିଛି। କଂଗ୍ରେସ କେବଳ ସ୍ଥାନୀୟ ପ୍ରସଙ୍ଗ ଗୁଡ଼ିକୁ ଆଧାର କରି ବିଜେପିକୁ ଟାର୍ଗେଟ୍‌ କରିଛି। ଅନ୍ୟପକ୍ଷେ ବିଜେପିର ଅନେକ ବରିଷ୍ଠ ନେତା ଟିକେଟ ନପାଇ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା କଂଗ୍ରେସକୁ କିଛି ଉତ୍ତମ ଫଳ ଦେବ ବୋଲି ଦଳ ଆଶା ରଖିଛି। ଶେଷରେ ରାଜ୍ୟରେ ତୃତୀୟ ବୃହତ୍ତମ ଦଳ ଜେଡିଏସ୍‌ କିଙ୍ଗମେକର ହେବାପାଇଁ ଆଶା ରଖିଛି। କୁମାରସ୍ବାମୀଙ୍କ ଅସୁସ୍ଥତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା ଶେଷ ମୁହୂର୍ତ୍ତରେ ଜେଡିଏସ୍‌ର ପ୍ରଚାର ମଙ୍ଗ ଧରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ନିର୍ବାଚନରେ ମୋଟ୍‌ ୨୫୮୬ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୯୩ ପ୍ରତିଶତ ପ୍ରାର୍ଥୀ ପୁରୁଷ। କେବଳ ୭ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି ମହିଳା। ର‌ାଜ୍ୟରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୫.୩ କୋଟି। ୫୦.୩ ପ୍ରତିଶତ ପୁରୁଷ ଭୋଟର ହୋଇଥିବାବେ‌ଳେ ୪୯.୭ ପ୍ରତିଶତ ହେଉଛନ୍ତି ମହିଳା ଭୋଟର।

ଲୋକଙ୍କ ସହ ବସ୍‌ ଯାତ୍ରା କଲେ ରାହୁଲ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବେଙ୍ଗାଲୁରୁରେ ବିଏମ୍‌ଟିସି (ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ) ବସ୍‌ରେ ସାଧାରଣ ଲୋକଙ୍କ ସହ ଯାତ୍ରା କରିଛନ୍ତି। କଂଗ୍ରେସ ନେତା ରାହୁଲଙ୍କୁ ଆଜି ପ୍ରଥମେ ବସ୍‌ ଷ୍ଟପ୍‌ରେ କିଛି କଲେଜ ଛାତ୍ର ଏବଂ କର୍ମଜୀବୀ ମହିଳାଙ୍କ ସହ କଥା ହେଉଥିବାରୁ ଦେଖିବାକୁ ମିଳିଥିଲା। ରାହୁଲ ଯାତ୍ରୀମାନଙ୍କୁ ସେମାନଙ୍କ ସମସ୍ୟା ସଂକ୍ରାନ୍ତରେ ପଚାରି ବୁଝିଥିଲେ। ମହିଳାମାନେ ବସ୍‌ରେ ଯାତ୍ରା କରିବା ସମୟରେ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ ଅବଗତ ହୋଇଥିଲେ। ମହିଳା ଏବଂ କଲେଜ ଛାତ୍ରୀମାନେ ଆଜି ରାହୁଲଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କଂଗ୍ରେସର ଗୃହଲକ୍ଷ୍ମୀ ଯୋଜନା ସଂକ୍ରାନ୍ତରେ ସେମାନେ ରାହୁଲଙ୍କ ସହ ଆଲୋଚନା କରିଥିଲେ। ଗୃହଲକ୍ଷ୍ମୀ ଯୋଜନା ଅଧୀନରେ କଂଗ୍ରେସ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳାମାନେ କଂଗ୍ରେସର ଏହି ଯୋଜନା ସଂକ୍ରାନ୍ତରେ ରାହୁଲଙ୍କ ସହ କଥା ହୋଇଥିଲେ।