ପାଟନା: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳମାନେ ଏବେ ରଣନୀତି ପ୍ରସ୍ତୁତି ପାଇଁ ତତ୍ପରତା ଦେଖାଇଛନ୍ତି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସକୁ ମିଳିଥିବା ବଡ଼ ସଫଳତାକୁ ଅନେକ ନେତା ମୋଦୀ ସରକାର ବିରୋଧରେ ଜନଅସନ୍ତୋଷର ପ୍ରତିଫଳନ ବୋଲି କହବା ଆରମ୍ଭ କରିଦେଇଛନ୍ତି। ବିରୋଧୀ ଦଳଙ୍କ ମହାମେଣ୍ଟକୁ ସାକାର ରୂପ ଦେବାପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଏବେ ପ୍ରୟାସ ଜାରି ରହିଛି। କର୍ଣ୍ଣାଟକରେ କଂଗ୍ରେସର ସରକାର ଗଠନ ପରେ ପାଟନାରେ ୧୨ଟି ପ୍ରମୁଖ ବିରୋଧୀ ଦଳଙ୍କ ବୈଠକ ଅନୁଷ୍ଠିତ ହେବ ବୋଲି ଆଜି ଜଣେ ବରିଷ୍ଠ ଆର୍‌ଜେଡି ନେତା କହିଛନ୍ତି। କର୍ଣ୍ଣାଟକରେ ସରକାର ଗଠନର ଦିନେ ଦୁଇ ଦିନ ମଧ୍ୟରେ ଏହି ବୈଠକ ଆୟୋଜନ କରାଯିବାକୁ ଯୋଜନା ହୋଇଛି। ତେବେ କଂଗ୍ରେସକୁ ନେଇ କେତେକ ବିରୋଧୀ ଦଳ ନେତାଙ୍କ ମତଭେଦ ଜାରି ରହିଥିବାରୁ ଏ ଦିଗରେ କଂଗ୍ରେସ ମଧ୍ୟ ବେଶ୍‌ ସତର୍କତାର ସହ ଗୋଟି ଚାଳନା କରୁଛି।

Advertisment

କର୍ଣ୍ଣାଟକରେ ଦଳର ବଡ଼ ବିଜୟରେ ଉତ୍ସାହିତ କଂଗ୍ରେସ ଏବେ ଭାରତ ଯୋଡ଼ୋ ଯାତ୍ରା-ପାର୍ଟ ୨ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଆଜି ଦଳର ବରିଷ୍ଠ ନେତା କେସି ବେଣଗୋପାଳ କହିଛନ୍ତି ଯେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆମେ ଏବେ ଭାରତ ଯୋଡ଼ୋ ଯାତ୍ରା ପାଇଁ ପ୍ରସ୍ତୁତ କରୁଛୁ। କେରଳ ଓ ତେଲେଙ୍ଗାନା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜସ୍ବ ରଣନୀତିରେ ଆଗକୁ ବଢ଼ୁଥିବା ବେଳେ କେରଳରେ ଏବେ ବାମଦଳ ଏବଂ ତେଲେଙ୍ଗାନାରେ କେସିଆର୍‌ଙ୍କ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) କ୍ଷମତାରେ ରହିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିରୋଧୀ ମହାମେଣ୍ଟରେ କଂଗ୍ରେସର ନେତୃତ୍ବକୁ ସ୍ବୀକାର କରୁନଥିବା ସହ ଅଣକଂଗ୍ରେସ ଓ ଅଣବିଜେପି ମେଣ୍ଟ ଗଠନ ନେଇ ସେ ସର୍ବଦା ଗୁରୁତ୍ବ ଦେଇଆସିଛନ୍ତି।

publive-image

ଆଜି ବରିଷ୍ଠ ଜେଡିୟୁ ନେତା ତଥା ବିହାର ଅର୍ଥମନ୍ତ୍ରୀ ବିଜୟ କୁମାର ଚୌଧାରୀ କହିଛନ୍ତି ଯେ ପାଟନାରେ ବିରୋଧୀ ଦଳ ନେତାଙ୍କ ବୈଠକ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇସାରିଛି ଏବଂ ଏ ନେଇ ଖୁବ୍‌ଶୀଘ୍ର ନୀତୀଶ କୁମାର ଘୋଷଣା କରିବେ। ଗତ ମାସରେ ନୀତୀଶ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ମିଳିତ ରଣନୀତି ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କ ବିରୋଧରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଛିଡ଼ା କରାଯିବା ଉପରେ ନୀତୀଶ ଗୁରୁତ୍ବାରୋପ କରୁଛନ୍ତି।