ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ବିଗୁଲ ବାଜି ସାରିଲାଣି। ମେ ୧୦ରେ ଭୋଟ ଗ୍ରହଣ ହେବ ଓ ୧୩ରେ ଫଳ ଘୋଷଣା ହେବ ବୋଲି ନିର୍ବାଚନ କମିସନ ଘୋଷଣା କରିଛନ୍ତି। ନିର୍ବାଚନକୁ ଆଉ ମାସକରୁ ସାମାନ୍ୟ ଅଧିକ ଦିନ ବାକି ଥିବା ବେଳେ କଂଗ୍ରେସ କିମ୍ବା ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। କିନ୍ତୁ ଜେଡିଏସ୍ ଏଚ୍ଡି କୁମାରସ୍ବାମୀଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିସାରିଛି। ତେବେ ପ୍ରଶ୍ନ ଉଠୁଛି, ବିଜେପି ଓ କଂଗ୍ରେସ କାହିଁକି ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାବଦରେ ଏଯାଏ ନିରବ। କର୍ଣ୍ଣାଟକ ନିର୍ବାଚନ ବସବରାଜ ବୋମାଇଙ୍କ ନେତୃତ୍ବରେ ଲଢ଼ାଯିବ ବୋଲି ବିଜେପି ବାରମ୍ବାର କହିଆସୁଛି। ତେବେ ନିର୍ବାଚନ ଫଳ ଘୋଷଣା ପରେ ହିଁ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର କରାଯିବ ବୋଲି ବିଜେପି କହିଛି।ବିଜେପି ପରି କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ବ ନେଇ ଦୋଦୋପାଞ୍ଚ ଅବସ୍ଥାରେ ରହିଛି। ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାର ଓ ବିରୋଧୀ ଦଳ ନେତା ସିଦ୍ଦରମୈୟା ଖୋଲାଖୋଲି ଭାବେ କହୁଛନ୍ତି ଯେ ସେମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। କିନ୍ତୁ କଂଗ୍ରେସ ନେତୃତ୍ବ ଏ ବାବଦରେ କିଛି ଘୋଷଣା କରିନାହିଁ। ଏହି ଦୁଇ ଦଳ ଆଗତୁରା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ କାହିଁକି ଘୋଷଣା କରୁନାହାନ୍ତି ବୋଲି ପ୍ରଶ୍ନ ଉଠୁଛି।
୨୦୧୮ ନିର୍ବାଚନର ବର୍ଷକ ପୂର୍ବରୁ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହ ଘୋଷଣା କରିଥିଲେ ଯେ ବିଏସ୍ ୟେଦୁରପ୍ପା ହେଉଛନ୍ତି ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। କିନ୍ତୁ ଏଥର କ୍ଷମତାରେ ଥିଲେ ବି ଆଗତୁରା ନାମ ଘୋଷଣାରୁ ବିଜେପି ଦୂରରେ ରହିଛି। ଏହାର ଏକ ବଡ଼ କାରଣ ହେଉଛି, ୟେଦୁରପ୍ପାଙ୍କ ପରେ ଦଳରେ ସେପରି କେହି ପ୍ରଭାବଶାଳୀ ନେତା ନାହାନ୍ତି, ଯାହାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ି ଜିତାଯାଇପାରିବ। ବୋମାଇ ୨୦୨୧ରେ ୟେଦୁରପ୍ପାଙ୍କ ଉତ୍ତରାଧିକାରୀ ହୋଇଛନ୍ତି ସତ, କିନ୍ତୁ ୟେଦୁରପ୍ପାଙ୍କ ପରି ପ୍ରଭାବ ଓ ଲୋକପ୍ରିୟତା ତାଙ୍କର ନାହିଁ। ଜାତି ସବୁବେଳେ ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛି ଏବଂ କର୍ଣ୍ଣାଟକ ସେଥିରୁ ଅଲଗା ନୁହେଁ। କ୍ଷମତାକୁ ହାତଛଡ଼ା ନ କରିବା ପାଇଁ ବିଜେପିକୁ ଦୁଇଟି ଜାତି ଲିଙ୍ଗାୟତ ଓ ଭୋକାଲିଗାଙ୍କ ସମର୍ଥନ ଦରକାର। ଲିଙ୍ଗାୟତମାନେ ବିଜେପିର ପାରମ୍ପରିକ ଭୋଟର ହୋଇଥିବା ବେଳେ ଭୋକାଲିଗାମାନେ ହେଉଛନ୍ତି ଜେଡିଏସ୍ର ଭୋଟବ୍ୟାଙ୍କ। କର୍ଣ୍ଣାଟକରେ ତିନିଜଣ ଲିଙ୍ଗାୟତ- ୟେଦୁରପ୍ପା, ଜିଗଦୀଶ ଶେଟର ଓ ବୋମାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
/sambad/media/post_attachments/wp-content/uploads/2021/01/yediyurappa-1592554732.jpg)
ତେବେ ୟେଦୁରପ୍ପା ବର୍ତ୍ତମାନ ନିର୍ବାଚନୀ ରାଜନୀତିରୁ ନିଜକୁ ଦୂରରେ ରଖିଛନ୍ତି। ସେ ନିର୍ବାଚନ ଲଢ଼ିବେ ନାହିଁ କିମ୍ବା ଦଳ ଜିତିଲେ ବି ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଏଭଳି ପରିସ୍ଥିତିରେ ବିଜେପି ଚାହୁଛି ଏକ ନୂଆ ସାମାଜିକ ସମୀକରଣ କରି ଉଭୟ ଲିଙ୍ଗାୟତ ଓ ଭୋକାଲିଗାଙ୍କଠାରୁ ସମର୍ଥନ ପାଇବା। ବିଜେପି ନିର୍ବାଚନ ପ୍ରଚାର କମିଟିର ଦାୟିତ୍ବ ଦିଆଯାଇଛି ବିଏସ୍ ବୋମାଇଙ୍କୁ, ଯିଏ କି ଜଣେ ଲିଙ୍ଗାୟତ। କିନ୍ତୁ ନିର୍ବାଚନ ପରିଚାଳନା ଭାର ରହିଛି କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେଙ୍କ ଉପରେ ଯିଏ କି ଜଣେ ଭୋକାଲିଗା ସମ୍ପ୍ରଦାୟର ସଦସ୍ୟା। ପୁଣି ରାଜ୍ୟ ବିଜେପି ସରକାର ଓବିସି ମୁସଲମାନଙ୍କଠାରୁ ୪ ପ୍ରତିଶତ କାଟି ଉଭୟ ଭୋକାଲିଗା ଓ ଲିଙ୍ଗାୟତଙ୍କ ପାଇଁ ଚାକିରି କ୍ଷେତ୍ରରେ ୨ ପ୍ରତିଶତ ଲେଖାଏ ସଂରକ୍ଷଣ ବୃଦ୍ଧି କରିଛନ୍ତି। ଉଭୟ ଦଳର ଭୋଟରଙ୍କୁ ଅକର୍ଷିତ କରିବା ପାଇଁ ଏହା ହେଉଛି ବିଜେପିର ଚାଲ୍।
ଅନ୍ୟପଟେ ରାଜ୍ୟ ବିଜେପିରେ ଅନେକ ଗୋଷ୍ଠୀ ଅଛନ୍ତି। ବସବରାଜ ବୋମାଇ, ବିଏସ୍ ୟେଦୁରପ୍ପା, ବିଏଲ୍ ସନ୍ତୋଷ ନିଜ ନିଜ ଶିବିରର ପୁରୋଧା ହୋଇଥିବା ବେଳେ କେତେକ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଦାବିଦାର ଅଛନ୍ତି। ବରିଷ୍ଠ ବିଜେପି ନେତା ବସନଗୌଡ଼ ଆର୍ ପାଟିଲ, କେଏସ୍ ଏଶ୍ବରପ୍ପା, ଏଏଚ୍ ବିଶ୍ବନାଥନ୍ ଓ ସିପି ଯୋଗୀଶ୍ବରଙ୍କ ପଛରେ ମଧ୍ୟ ବହୁ ଜନସମର୍ଥନ ରହିଛି। ଏ ପରିସ୍ଥିତିରେ ନିର୍ବାଚନ ଆଗରୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଦେଲେ ଅନ୍ୟ ଗୋଷ୍ଠୀଗୁଡ଼ିକ ଅସନ୍ତୁଷ୍ଟ ହୋଇପାରନ୍ତି। କର୍ଣ୍ଣାଟକ କଂଗ୍ରେସରେ ବି ବିଜେପି ଭଳି ପରିସ୍ଥିତି। ବିଜେପି ପରି ସେଠାରେ କଂଗ୍ରେସର ବି ଅନେକ ଗୋଷ୍ଠୀ ଅଛନ୍ତି।
/sambad/media/post_attachments/wp-content/uploads/2019/07/siddaramaiah-.1.259137-750x430.jpg)
ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ପକ୍ଷରେ ଅନେକ ସମର୍ଥକ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ମଧ୍ୟ ଅନେକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଏ ଦୁହେଁ ଖୋଲାଖୋଲି ଭାବେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହି ଆସୁଛନ୍ତି। ତେଣୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଦେବା କଂଗ୍ରେସ ପାଇଁ ଆତ୍ମଘାତୀ ହୋଇପାରେ। ଜାତିବାଦ ବି କଂଗ୍ରେସ ପାଇଁ ଅନ୍ୟତମ ବାଧକ। ଶିବକୁମାର ଭୋକାଲିଗା ସମ୍ପ୍ରଦାୟର ହୋଇଥିବା ବେଳେ ସିଦ୍ଦରମେୟା କୋର୍ବା (ଓବିସି) ସମ୍ପ୍ରଦାୟର। ଜଣକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କଲେ ଅନ୍ୟ ସମ୍ପ୍ରଦାୟ ଅନ୍ତର୍ଘାତୀ କାର୍ଯ୍ୟ କରିବା ଅସନ୍ତୁଷ୍ଟ ନୁହେଁ। ତେଣୁ ନିର୍ବାଚନ ଫଳ ଘୋଷଣା ପରେ ଯଦି ଦଳ ଜିତେ ତେବେ ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କିମ୍ବା ରାହୁଲ ଗାନ୍ଧି ଯାହାକୁ ପସନ୍ଦ କରିବେ ସେ ହେବେ ମୁଖ୍ୟମନ୍ତ୍ରୀ।