ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା

୧୭ ଜଣ ବିଧାୟକ ମନ୍ତ୍ରୀ ଭାବେ ନେଲେ ଶପଥ

ବାଙ୍ଗାଲୋର: ଶେଷରେ ୨୪ ଦିନର ପ୍ରତୀକ୍ଷା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି | ଆଜି ରାଜ୍ୟପାଳ ଭାଜୁଭାଇ ଭଲା ୧୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି | ପ୍ରଥମ ପର୍ଯ୍ୟାୟରେ ୧୭ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ | ସୂଚନାଯୋଗ୍ୟ ବି ଏସ ୟେଦୁରପ୍ପା ଗତ ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ଚତୁର୍ଥ ଥରଲାଗି ଶପଥ ଗ୍ରହଣ କରିଥିଲେ ।

ସେହି ଦିନଠାରୁ କର୍ଣ୍ଣାଟକର କ୍ୟାବିନେଟର ସଂପ୍ରସାରଣ କେବେ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଜୁଲାଇ ୨୯ ତାରିଖରେ ବି ଏସ ୟେଦୁରପ୍ପା ନିଜ ବହୁମତ ସାବ୍ୟସ୍ତ କରିଥିଲେ |

ତେବେ ୨୦ ଦିନରୁ ଅଧିକ ଦିନ ଧରି ଏକୁଟିଆ ମନ୍ତ୍ରିମଣ୍ଡଳ ସମ୍ଭାଳିବା ନେଇ ଜେଡିଏସ ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପରେ ବି ଏସ ୟେଦୁରପ୍ପା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ତାଙ୍କୁ ସମ୍ଭାବିତ ମନ୍ତ୍ରୀଙ୍କ ତାଲିକା ଦେଇଥିଲେ | ଶାହାଙ୍କ ଅନୁମୋଦନ ପରେ ଏହି ତାଲିକାକୁ ରାଜ୍ୟପାଳଙ୍କ ନିକଟକୁ ଗତକାଲି ପଠାଇଥିଲେ |

ସମ୍ବନ୍ଧିତ ଖବର